ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୨୪ ତାରିଖ ଦିନ କ୍ୱାଡ଼୍ ନେତାମାନଙ୍କର ଶୀର୍ଷ ବୈଠକରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦୀ ଏହି ବୈଠକରେ ଅଂଶଗ୍ରହଣ କରିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିବେ। ବୈଦେଶିକ ମୁଖପାତ୍ର ଅରିନ୍ଦମ୍ ବାଗ୍ଚୀ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଗତବର୍ଷ ମାର୍ଚ୍ଚ ମାସରେ ପ୍ରଥମ ଭର୍ଚୁଆଲ୍ ଶୀର୍ଷ ବୈଠକ ପରଠାରୁ କ୍ୱାଡ଼୍ ନେତାମାନଙ୍କର ଏହା ଚତୁର୍ଥ ଶୀର୍ଷ ବୈଠକ ହେବ। ସେ କହିଛନ୍ତି, ଏହି ବୈଠକରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ସମସ୍ତଙ୍କ ସ୍ୱାର୍ଥ ସାଧନ ହେଲାଭଳି ସାମ୍ପ୍ରତିକ ବିଶ୍ୱ ପ୍ରସଙ୍ଗଗୁଡ଼ିକ ଉପରେ ଭାବ ବିନିମୟ ହେବାର ଆଶା କରାଯାଉଛି। ଏହି ବୈଠକରେ କ୍ୱାଡ଼୍ ପ୍ରସ୍ତାବ ଓ କାର୍ଯ୍ୟକାରୀ ଗୋଷ୍ଠୀର ରୂପାୟନ ପ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବା ସଙ୍ଗେ ସଙ୍ଗେ ଭବିଷ୍ୟତ ସହଭାଗିତା ପାଇଁ ନୂଆ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରାଯିବ ଏବଂ ଭାଗିଦାରୀ ପଥ ପ୍ରଦର୍ଶନ ଉପରେ ମଧ୍ୟ ଆଲୋଚନା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନରେ ଭାରତୀୟ ବଂଶୋଦ୍ଭବମାନଙ୍କୁ ଉଦ୍ବୋଧନ ଦେବା ସହ ସେ ଦେଶର ଶିଳ୍ପପତିମାନଙ୍କଦ୍ୱାରା ଆୟୋଜିତ ଏକ ବୈଠକରେ ମଧ୍ୟ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଜାପାନ୍ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ଚତୁର୍ଦ୍ଦଶ ଭାରତ-ଜାପାନ ବାର୍ଷିକ ଶୀର୍ଷ ବୈଠକରେ ଆଲୋଚିତ ପ୍ରସଙ୍ଗଗୁଡ଼ିକର ରୂପାୟନ ପ୍ରଗତି ଉପରେ ମଧ୍ୟ ଆଲୋଚନା ହେବ। ଶ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେବେ। ଦୁଇ ଦେଶ ମଧ୍ୟରେ ସାମରିକ ଭାଗିଦାରୀ ସମ୍ପର୍କ ବିଷୟରେ ସମୀକ୍ଷା କରାଯିବ ବୋଲି ଆଶା କରାଯାଉଛି। ଗତବର୍ଷ ସେପ୍ଟେମ୍ବର ମାସରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଶ୍ରୀ ମୋଦୀଙ୍କର ଦ୍ୱିପକ୍ଷୀୟ ବୈଠକ ପରେ ହୋଇଥିବା ପ୍ରଗତି ବିଷୟରେ ମଧ୍ୟ ଆଲୋଚନା ହେବ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……