Report Card Odisha

| Daily Odia News

କେନ୍ଦ୍ରୀୟ ବିଦ୍ୟାଳୟରେ ବନ୍ଦ ହେବ ନାମଲେଖା କୋଟା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ରୀୟ ବିଦ୍ୟାଳୟମାନଙ୍କରେ ନାମଲେଖା ପାଇଁ ସାଂସଦଙ୍କ ସମେତ ସମସ୍ତ ୧୭ ଟି ବର୍ଗର ବିବେକାଧୀନ କୋଟା ଉପରେ ଆସନ୍ତା ସପ୍ତାହରେ ଚୂଡ଼ାନ୍ତ ନି‌ଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି। ଗୁରୁବାର ଦିନ କେନ୍ଦ୍ରୀୟ ବିଦ୍ୟାଳୟମାନଙ୍କରେ ବିବେକାଧୀନ କୋଟାରେ ନାମଲେଖାକୁ ସ୍ଥଗିତ ରଖିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦେଶର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇଦେଇଥିଲେ। ଅସ୍ଥାୟୀ ରୂପେ ଏଥିରେ ରୋକ ଲଗାଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କୋଟା ସମ୍ବନ୍ଧିତ ପ୍ରସଙ୍ଗ ଉପରେ ଆସନ୍ତା ସପ୍ତାହରେ ସମୀକ୍ଷା ବୈଠକ ହେବ। ସମୀକ୍ଷା ପରେ ଏହି ନିଷ୍ପତ୍ତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପରିଚାଳନା ବୋର୍ଡରେ ଉପସ୍ଥାପନ କରାଯିବ। ବୋର୍ଡ ବୈଠକରେ କେଉଁ କୋଟା ଜାରୀ ରହିବ ଏବଂ କେଉଁ କୋଟାକୁ ସମାପ୍ତ କରିଦିଆଯିବ ସେ ନେଇ ନିଷ୍ପତ୍ତି ହୋଇପାରେ। କେନ୍ଦ୍ରୀୟ ବିଦ୍ୟାଳୟରେ ବାର୍ଷିକ ୧୦ ସିଟ୍‌ରେ ନାମଲେଖା ପାଇଁ ସାଂସଦମାନେ ସୁପାରିସ କରିବାର କ୍ଷମତା ରହିଛି। ନିକଟରେ ସମାପନ ହୋଇଥିବା ସଂସଦର ବଜେଟ ଅଧିବେଶନରେ ସାଂସଦମାନେ କୋଟାକୁ ବୃଦ୍ଧି କରିବା ନଚେତ ଏହାକୁ ସଂପୂର୍ଣ୍ଣ ଉଚ୍ଛେଦ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ। ଏହି ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ଶିକ୍ଷା ମନ୍ତ୍ରୀ ଆଲୋଚନା କରିବା ପରେ ଏହା ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଲୋକସଭା ବାଚସ୍ପତି ଗୃହର କହିଥିଲେ।

 

Breaking News