Report Card Odisha

| Daily Odia News

ରାଜନାଥଙ୍କୁ ଗୋଲାପ ଦେଲେ ରାହୁଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟି-ଶାର୍ଟ, ବ୍ୟାଗ୍‌ ପରେ ଏବେ ଗୋଲାପ ଫୁଲ। ବିରୋଧର ନୂଆ ଷ୍ଟାଇଲ୍‌ ଆପଣାଉଛନ୍ତି ବିରୋଧୀ। କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସଂସଦ ପରିସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦେଇଛନ୍ତି ଗୋଲାପ ଫୁଲ। କେବଳ ସେତିକି ନୁହେଁ ତାଙ୍କ ହାତରେ ଜାତୀୟ ପତାକାକୁ ମଧ୍ୟ ଧରାଇଛନ୍ତି।ଚଳିତ ସଂସଦ ଅଧିବେଶନରେ କଂଗ୍ରେସ କ୍ରମାଗତ ଭାବରେ ସରକାରଙ୍କୁ ଘେରିବାରେ ଲାଗିଛି। ଆଦାନୀ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ କଂଗ୍ରେସ ପ୍ରତିଦିନ ନୂଆ ଢଙ୍ଗରେ ସଂସଦ ବାହାରେ ବିରୋଧ କରୁଛି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏହି ବିରୋଧ ପ୍ରଦର୍ଶନ କରାଯାଉଛି। ଆଜି ବି ଅନେକ କଂଗ୍ରେସ ନେତା ଏହି ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ତେବେ ଏତିକି ବେଳେ ସଂସଦ ବାହାରେ ବିରୋଧ ପ୍ରଦର୍ଶନବେଳେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ରାଜନାଥ ସିଂହ ସଂସଦ ଭିତରକୁ ପ୍ରବେଶ କରୁଥିବା ବେଳେ ତାଙ୍କୁ ରାହୁଲ ଗାନ୍ଧି ଗୋଲାପ ଫୁଲ ଓ ତ୍ରିରଙ୍ଗା ପତକା ଦେଇ ନୂଆ ଷ୍ଟାଇଲରେ ବିରୋଧ ପ୍ରଦର୍ଶନ କରିଛନ୍ତି। ରାଜନାଥ ସିଂହ ତାଙ୍କ କାରରୁ ଓହ୍ଲାଇବା ମାତ୍ରେ ରାହୁଲ ଗାନ୍ଧି ତୁରନ୍ତ ତାଙ୍କ ଆଗକୁ ଚାଲି ଆସିଥିଲେ। ଏହି ସମୟରେ ରାଜନାଥ ସିଂହ ଏବଂ ରାହୁଲଙ୍କ ମଧ୍ୟରେ କିଛି ସେକେଣ୍ଡ ପାଇଁ କଥାବାର୍ତ୍ତା ହୋଇଥିଲା। କିନ୍ତୁ ରାହୁଲ ତାଙ୍କୁ ତ୍ରିରଙ୍ଗା ଓ ଗୋଲାପ ଦେବା ମାତ୍ରେ ରାଜନାଥ ଏହାକୁ ନ ନେଇ ହସି ହସି ଆଗକୁ ଚାଲି ଯାଇଥିଲେ। ଏହି ସମୟରେ କଂଗ୍ରେସ ନେତା, ବିଜେପି ନେତା ଏବଂ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ମଧ୍ୟ ହସୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଘଟଣାର ପୂରା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏନଡିଏ ସାଂସଦ ଏବଂ ମନ୍ତ୍ରୀମାନଙ୍କୁ ଗୋଲାପ ଓ ତ୍ରିରଙ୍ଗା ପ୍ରଦାନ କରି କଂଗ୍ରେସ ନୂଆ ଢ଼ଙ୍ଗରେ ବିରୋଧ କରିଛି। ବିରୋଧୀ ଦଳର ସାଂସଦମାନେ ବିଜେପି ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। କଂଗ୍ରେସ ସାଂସଦ ସୁଖଦେବ ଭାଗବତ ସଂସଦକୁ ବିଜେପି ସରକାର ‘ଲଜୱନ୍ତୀ’ (ଲାଜକୁଳି ଲତା)ରେ ପରିଣତ କରିଥିବା ଅଭିଯୋଗ କରିଛନ୍ତି। ଭାଗବତ କହିଛନ୍ତି ଯେ ଆଦାନୀଙ୍କ ନାମ ଆସିବା ମାତ୍ରେ ଗୃହକୁ ମୁଲତବୀ ରଖାଯାଉଛି। ଆମେ ସଂସଦର ମର୍ଯ୍ୟାଦା ପାଳନ କରି ଜାତୀୟ ପତକା ବଣ୍ଟନ କରୁଛୁ ବୋଲି ସେ କହିଛନ୍ତି।

Breaking News