Report Card Odisha

| Daily Odia News

ଅପରେସନ ‘ଜିନ୍ଦେଗୀ’ ସଫଳ,ରାହୁଲ ସୁରକ୍ଷିତ ଉଦ୍ଧାର…..

ରିପୋର୍ଟ କାର୍ଡ / ଛତିଶଗଡ଼

ଦୀର୍ଘ ୫ ଦିନର ସଂଗ୍ରାମ ପରେ ରାହୁଲର ବିଜୟ ହୋଇଛି । ଅନେକ ଆଶା ଆଶଙ୍କା ମଧ୍ୟରେ ୮୦ ଫୁଟର ବୋରୱେଲ ମଧ୍ୟରେ ଫସି ରହିଥିବା ୧୦ ବର୍ଷର ଦିବ୍ୟାଙ୍ଗ ପୁଅ ରାହୁଲ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି। ଛତିଶଗଡ ଯାଞ୍ଜଗୀର ଚାମ୍ପା ଜିଲ୍ଲାର ୧୦ ବର୍ଷର ଛୋଟ ପୁଅ ରାହୁଲ ଗତ ଶୁକ୍ରବାର ନିଜ ଘର ପାଖରେ ଖେଳୁଥିବା ବେଳେ ୮୦ଫୁଟ ବୋରୱେଲ ଭିତରକୁ ଗଳିପଡିଥିଲା। ଏକଥା ଜଣାପଡିବା ପରେ ପ୍ରଶାସନ ତତ୍ପର ହୋଇଥିଲା ଓ ରାହୁଲକୁ ସୁରକ୍ଷିତ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲାଙ୍କ ଉଦ୍ୟମ ଯୋଗୁ ଏନଡିଆରଏଫ, ଏସଡ଼ିଆରଏଫ, ସ୍ଥଳ ସେନା ରୋବୋଟିକ ଟିମ ଓ ଡାକ୍ତରୀ ଟିମ ଘଟଣାସ୍ଥଳରେ ପହଂଚି ଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ଓଡ଼ିଶାର ଏନଡିଆରଏଫ ଟିମ ସାମିଲ ହୋଇଥିଲା। ସବୁଠାରୁ ବିଶେଷ କଥା ହେଉଛି ଯେ ରାହୁଲ ପିଲାଦିନୁ କଥା କହିପାରେ ନାହିଁ ତେଣୁ ତା ପାଖରୁ କୌଣସି ପ୍ରତିକ୍ରିୟା ପାଇବା ସମ୍ଭବ ନ ଥିଲା କିନ୍ତୁ ସ୍ୱତନ୍ତ୍ର କ୍ୟାମେରା ମାଧ୍ୟମରେ ରାହୁଲର ପ୍ରତି କ୍ଷଣର ଚିତ୍ର ଦେଖିବା ସମ୍ଭବ ହୋଇଥିଲା ଏବଂ ସେହି ଅନୁଯାୟୀ ପଦକ୍ଷେପ ନିଆଯାଇଥିଲା। ଅନ୍ୟ ପକ୍ଷରେ ୫ ଦିନ କାଳ ସେହି ଗାତ ଭିତରେ ଜୀବନ ବିତାଇଥିବା ରାହୁଲକୁ କଦଳୀ ଓ ଗ୍ଲୁକୋଜ ଦିଆଯାଉଥିଲା ଓ ସେଥିରେ ଔଷଧ ଓ ପ୍ରତିଷେଧକ ଦିଆଯାଉଥିଲା। ରାହୁଲ ପାଖରେ ପହଂଚିବା ପାଇଁ ୮୦ ଫୁଟର ଏକ ସମାନ୍ତରାଳ ଗାତ ଖୋଲା ଯାଇଥିଲା ଓ ୧୫ ଫୁଟର ସୁଡ଼ଙ୍ଗ ପ୍ରସ୍ତୁତ କରାଯାଇଥିଲା। କେବଳ ସେତିକି ନୁହେଁ, ରାହୁଲ ଖସି ପଡିଥିବା ସ୍ଥାନରେ କାଳେ ଜଳ ସ୍ଥର ବୃଦ୍ଧି ପାଇବା, ତାହାକୁ ଦୃଷ୍ଟିରେ ରଖି ସେହି ଅଂଚଳରେ ଘରେ ଘରେ ମୋଟର ଚଳାଇବାକୁ ପରାମର୍ଶ ଦିଆଯାଇଥିଲା ଓ ସମସ୍ତ ଡ୍ୟାମ ଖୋଲି ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ରାହୁଲକୁ ଉଦ୍ଧାର ପାଇଁ ଦେଶବ୍ୟାପୀ ପ୍ରାର୍ଥନା ଓ ପୂଜାର୍ଚ୍ଚନା ଚାଲିଥିଲା ଏବଂ ୧୦୭ ଘଣ୍ଟାର ଯୁଦ୍ଧକାଳୀନ ଅପରେସନ ପରେ ରାହୁଲକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଇତିମଧ୍ୟରେ ରାହୁଲକୁ ଉଦ୍ଧାର ପରେ ଗ୍ରୀନ କରିଡର ଜରିଆରେ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଛି। ତାଙ୍କୁ ବିଳାସପୁର ସ୍ତିତ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯିବ।

 

Breaking News