ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟକୁ ଚିଠି ଲେଖିଛନ୍ତି। ଜୁଲାଇ ୧ ତାରିଖରେ ରାହୁଲ ଲୋକସଭାରେ ଦେଇଥିବା ଭାଷଣର କିଛି ଅଂଶକୁ ବାଚସ୍ପତି ବିର୍ଲା ସଂସଦୀୟ ରେକର୍ଡରୁ କାଟି ଦେଇଛନ୍ତି। ରାହୁଲ ଗାନ୍ଧୀ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ବାଚସ୍ପତିଙ୍କ ନିକଟକୁ ଚିଠି ଲେଖି କହିଛନ୍ତି, ଗୃହରେ ସେ ଯାହା ବି କହିଛନ୍ତି ତାହା ବାସ୍ତବତା। ତାଙ୍କ ଭାଷଣରୁ ଯେଉଁ ଅଂଶକୁ ସଂସଦୀୟ ରେକର୍ଡରୁ ହଟାଯାଇଛି ତାହା ଆଦୌ ଧାରା ୩୮୦ର ବିରୁଦ୍ଧାଚରଣ କରୁନାହିଁ। ତେଣୁ ଏହାକୁ ପୁଣିଥରେ ରେକର୍ଡରେ ରଖିବାପାଇଁ ରାହୁଲ ବାଚସ୍ପତିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସୋମବାର ରାହୁଲ ଗାନ୍ଧୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ସମୟରେ ବିଜେପି ଉପରେ ବର୍ଷିଥିଲେ। ଲୋକସଭାରେ ବିରୋଧୀ ଦଳ ନେତା ଭାବେ ପ୍ରଥମ ଭାଷଣ ଦେଇ ରାହୁଲ ଗାନ୍ଧୀ ନିଟ୍, ମଣିପୁର ଓ ବେକାରୀ ଆଦି ପ୍ରସଙ୍ଗରେ ସରକାରକୁ ଟାର୍ଗେଟ୍ କରିଥିଲେ। ଶାସକ ଦଳର ନେତାମାନେ ସାମ୍ପ୍ରଦାୟିକ ଆଧାରରେ ଲୋକମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛନ୍ତି ବୋଲି ସେ କହିଥିଲେ। ଏହା ସହିତ ଯେଉଁମାନେ ନିଜକୁ ହିନ୍ଦୁ କହୁଛନ୍ତି, ସେମାନେ ହିଂସା କରୁଛନ୍ତି ଓ ଅସତ୍ୟ କହୁଛନ୍ତି ବୋଲି ରାହୁଲ ଦେଇଥିବା ବୟାନକୁ ଜୋରଦାର ବିରୋଧ କରାଯାଇଥିଲା। ବିଜେପି ସାଂସଦ ବାଂସୁରୀ ସ୍ବରାଜ ମଙ୍ଗଳବାର ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଜୁଲାଇ ୧ ତାରିଖ ଭାଷଣ ବିରୋଧରେ ଏକ ନୋଟିସ୍ ଆଣିଛନ୍ତି। ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ସମ୍ପୂର୍ଣ୍ଣ ଭାବେ ଭୁଲ୍ ଏବଂ ଏହା ବିଭ୍ରାନ୍ତିକର ବୋଲି ବାଂସୁରୀ କହିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। ରାହୁଲ ଗାନ୍ଧୀ ଉଦ୍ଦେଶ୍ୟମୂଳକ ଭାବେ, ହିନ୍ଦୁ ସମାଜ, ଅଗ୍ନିବୀର ଯୋଜନା, ଏବଂ ଏମ୍ଏସ୍ପିକୁ ନେଇ ମିଥ୍ୟା ଟିପ୍ପଣୀ ଦେଇଛନ୍ତି ବୋଲି ବାଂସୁରୀ କହିଛନ୍ତି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……