Report Card Odisha

| Daily Odia News

ରାଜେଶ ପ୍ରଭାକର ପାଟିଲ ବିଏମସି କମିଶନର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ମହାନଗର ନିଗମର ନୂଆ କମିଶନର ଭାବେ ୨୦୦୫ ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି। ଅଚାନକ ଛୁଟିରେ ପଳାଇଗଲେ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ।
୨୦୧୩ ବ୍ୟାଚ୍ ଆଇଏଏସ୍ ଶ୍ରୀ କୁଲାଙ୍ଗେ ଗତକାଲି ବିଏମସି ମାସିକ ବୈଠକରେ ଉପସ୍ଥିତ ରହିଥିଲେ । ଅଚାନକ ଛୁଟିରେ ଯିବାକୁନେଇ ଚର୍ଚ୍ଚା ଜୋର ଧରିଛି । ସରକାରଙ୍କ ବିନା ଅନୁମତିରେ ମେୟର ଓ କର୍ପୋରେଟରଙ୍କ ଭତ୍ତାବୃଦ୍ଧି ପାଇଁ ବିଏମସି ବୈଠକରେ ନିଷ୍ପତ୍ତି ନିଆଯିବା ଶ୍ରୀ କୁଲାଙ୍ଗେଙ୍କୁ ମହଙ୍ଗା ପଡ଼ିଛି ବୋଲି ଜଣାପଡ଼ିଛି । ତୃତୀୟ ମହଲାରୁ କଡ଼ା ତାଗିଦ୍ ଓ ବିରକ୍ତି ଯୋଗୁ ଶ୍ରୀ କୁଲାଙ୍ଗେ ନିଜକୁ ଅସମ୍ମାନିତ ମନେ କରି ଏକ ମାସ ଛୁଟିରେ ପଳାଇବା ଚର୍ଚ୍ଚା ହେଉଛି ।ଗତକାଲି ବିଏମସି ମାସିକ ବୈଠକରେ ମେୟର, ଡେପୁଟି ମେୟର ଓ କର୍ପୋରେଟରମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଶ୍ରୀ କୁଲାଙ୍ଗେ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ମେୟରଙ୍କୁ ସିଟିଂ ଆଲାଉନ୍ସ ୫୦ହଜାର ଟଙ୍କା, ଡେପୁଟି ମେୟରଙ୍କ ୨୫ହଜାର ଟଙ୍କା ଓ କର୍ପୋରେଟରମାନଙ୍କର ସିଟିଂ ଆଲାଉନ୍ସ ୧୦ହଜାର ଟଙ୍କା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହି ସମସ୍ତ ଅର୍ଥ ବିଏମସି ପାଣ୍ଠିରୁ ଭରଣା କରାଯିବ ବୋଲି ଶ୍ରୀ କୁଲାଙ୍ଗେ ଗଣମାଧ୍ୟମକୁ କହିଥିଲେ । ସନ୍ଧ୍ୟାରେ ଏହି ନିଷ୍ପତ୍ତିକୁ ରଦ୍ଦ କରାଯିବା ସହ ଏଥିପାଇଁ ସରକାରଙ୍କ ଅନୁମତି ଜରୁରୀ ବୋଲି ଶ୍ରୀ କୁଲାଙ୍ଗେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ |

Breaking News