Report Card Odisha

| Daily Odia News

ଦିନକ ଆଗରୁ ବନ୍ଦ ହେଲା ସଂସଦ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିନକ ଆଗରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭା କୁ ମୁଲତବୀ ଘୋଷଣା ହୋଇଛି | ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ତୈଳଦର, ଦରଦାମ ବୃଦ୍ଧି ଓ ବିଜେପି ନେତା କିରୀଟ ସୋମାୟାଙ୍କ ନାଁରେ ଆସିଥିବା ୫୭ କୋଟି ଟଙ୍କାର ଦୁର୍ନୀତି କଥା ଉଠାଇଥିଲେ। ଏହାକୁ କେନ୍ଦ୍ର କରି ନାରାବାଜୀ ବଢ଼ିବାରୁ ଉଭୟ ଗୃହ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ହୋଇଯାଇଛି। ସଂସଦର ଏହି ଅଧିବେଶ ଆସନ୍ତାକାଲି ଯାଏ ଚାଲିବାର ଥିଲା। ହେଲେ ଦିନକ ଆଗରୁ ହଠାତ୍‌ ଏହାକୁ ବନ୍ଦ କରିଦେବା ଘଟଣା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ତୈଳଦର ବୃଦ୍ଧି ଓ ଦଳୀୟ ନେତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ସରକାର ଆଲୋଚନା କରିବାକୁ ଚାହୁଁ ନଥିବାରୁ ଏପରି ପଦକ୍ଷେପ ନେଇଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଆଜି ରାଜ୍ୟସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଶିବସେନା ଓ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ନାରାବାଜୀ କରିଥିଲେ। ଶିବସେନା ସାଂସଦମାନେ ବିଜେପି ନେତା କିରୀଟ ସୋମାୟାଙ୍କ ବିରୋଧରେ ୫୭ କୋଟି ଦୁର୍ନୀତି ଘଟଣାରେ ରୁଜୁ ହୋଇଥିବା ପ୍ରସଙ୍ଗ ଉଠାଇଥିଲେ। ସେହିପରି ଟିଏମସି ସାଂସଦମାନେ ପୂରା ଅଧିବେଶନରେ ତୈଳଦର ବୃଦ୍ଧି ସମ୍ପର୍କରେ ଆଲୋଚନା ହୋଇ ନଥିବା କହିଥିଲେ। କଂଗ୍ରେସ ସାଂସଦମାନେ କହିଥିଲେ ଯେ ଯଦି ଦରବୃଦ୍ଧି ସମ୍ପର୍କରେ ଆଲୋଚନା ପାଇଁ ଅନୁମତି ଦିଆଯାଉନି, ତା’ହେଲେ କିରୀଟ ସୋମାୟାଙ୍କ ପ୍ରସଙ୍ଗରେ ଆଲୋଚନା କରାଯାଉ। ଏହି ସବୁ ଦାବି ସପକ୍ଷରେ ବିରୋଧୀ ସ୍ୱର ଶାଣିତ କରିବାରୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ତୁରନ୍ତ ଗୃହ କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଲୋକସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ବାଚସ୍ପତି ଓମ ବିର୍ଲା ଗୃହକୁ ଆସିବା କ୍ଷଣି କଂଗ୍ରେସ ସାଂସଦଙ୍କ ପକ୍ଷରୁ ତୈଳ ବୃଦ୍ଧି ସମ୍ପର୍କରେ ଆଲୋଚନା ପାଇଁ ନୋଟିସ ଦିଆଯାଇଥିଲା। ତଥାପି ବାଚସ୍ପତି ଓମ ବିର୍ଲା ଚଳିତ ଅଧିବେଶନରେ ଗୃହ କାର୍ଯ୍ୟ କେମିତି ଚାଲିଥିଲା, ତା’ର ତଥ୍ୟ ଉପସ୍ଥାପନ କରିଥିଲେ। ଏହାପରେ ଲୋକସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।

Breaking News