Report Card Odisha

| Daily Odia News

ଜମ୍ମୁ କଶ୍ମୀର ପୁର୍ନଗଠନ ଓ ସଂରକ୍ଷଣ ବିଲ ପାସ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକସଭା ପରେ ରାଜ୍ୟସଭାରେ ପାସ୍‌ ହୋଇଛି ଜମ୍ମୁ କଶ୍ମୀର ସହ ଜଡ଼ିତ ଦୁଇଟି ବିଲ୍‌। ଭୋଟ ଜରିଆରେ ସୋମବାର ଜମ୍ମୁ-କଶ୍ମୀର ପୁର୍ନଗଠନ ବିଲ ଓ ଜମ୍ମୁ କଶ୍ମୀର ସଂରକ୍ଷଣ ବିଲ୍ ପାରିତ ହୋଇଛି। ଦୁଇ ବିଲ୍‌ ଉପରେ ସୋମବାର ବିତର୍କ ହୋଇଥିଲା। ଶେଷରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିଜର ପକ୍ଷ ରଖିବା ସହ ବିଲ୍‌କୁ ବିରୋଧ କରୁଥିବା ବିରୋଧୀଙ୍କ ଉପରେ ବର୍ଷିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗୋଟିଏ ନୂଆ ଓ ବିକଶିତ କଶ୍ମୀର ଆରମ୍ଭ ହେବାକୁ ଯାଉଛି। ଏହି ନୂଆ କଶ୍ମୀର ଆତଙ୍କବାଦରୁ ମୁକ୍ତ ରହିବ ବୋଲି ଶ୍ରୀ ଶାହ କହିଛନ୍ତି। ପାରିତ ହୋଇଥିବା ଦୁଇ ବିଲ୍‌ରେ ପ୍ରବାସୀ କଶ୍ମିରୀ ସଂପ୍ରଦାୟରୁ ୨ ଜଣ ଓ ପାକିସ୍ତାନ ଅଧିକୃତ କଶ୍ମୀରରୁ ବିସ୍ଥାପିତ ହୋଇଥିବା ଲୋକଙ୍କ ମଧ୍ୟରୁ ଜଣେ ଜମ୍ମୁ-କଶ୍ମୀର ବିଧାନସଭାକୁ ମନୋନୀତ ହେବେ। ଫଳରେ ବିଧାନସଭା ଆସନ ସଂଖ୍ୟା ୯୦କୁ ବୃଦ୍ଧି ପାଇବ। ସେହିପରି ଜମ୍ମୁ-କଶ୍ମୀରରେ ରହୁଥିବା ବିଭିନ୍ନ ସଂପ୍ରଦାୟର ଲୋକଙ୍କ ପାଇଁ ମଧ୍ୟ ବିଲ୍‌ ଦ୍ୱାରା ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ବିଶେଷ କରି ସାମାଜିକ ଓ ଶିକ୍ଷାଗତ ଆଧାରରେ ପଛୁଆ ଥିବା ଲୋକଙ୍କୁ ସଂରକ୍ଷଣ ପ୍ରଦାନ କରାଯିବ। ବିଭିନ୍ନ ଚାକିରି ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା ରହିବ। ଗତ ସପ୍ତାହରେ ଏହି ଦୁଇ ବିଲ୍‌ ଲୋକସଭାରେ ପାରିତ ହୋଇଥିଲା। ଜମ୍ମୁ କଶ୍ମୀର ସଂରକ୍ଷଣ(ସଂଶୋଧନ) ବିଲ ଓ ଜମ୍ମ କଶତମୀର ପୁର୍ନଗଠନ ବିଲ ସଂସଦରେ ପାରିତ ହୋଇଥିବାରୁ ଏବେ ଏହା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଯିବ। ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହୋଇଯିବ। ଅମିତ ଶାହ କହିଛନ୍ତି, ଏହି ବିଲ୍‌ ଆଇନରେ ପରିଣତ ହେଲେ ଜମ୍ମୁର ବିଧାନସଭା ଆସନ ସଂଖ୍ୟା ୩୭ରୁ ୪୩ ଓ କଶ୍ମୀରର ଆସନ ସଂଖ୍ୟା ୪୬ରୁ ୪୭କୁ ବୃଦ୍ଧି ପାଇବ। ପୂର୍ବରୁ ଜମ୍ମୁ କଶ୍ମୀର ବିଧାନସଭା ଆସନ ସଂଖ୍ୟା ୮୩ ଥିଲା। କିନ୍ତୁ ନୂଆ ବିଲ ବଳରେ ଏହା ୯୦କୁ ବୃଦ୍ଧି ପାଇବ। ଦୀର୍ଘ ୭୫ ବର୍ଷ ହେଲା ନିଜ ଅଧିକାରରୁ ବଞ୍ଚିତ ହୋଇ ରହିଥିବା ଲୋକଙ୍କ ସ୍ୱାର୍ଥ ପୂରଣ କରିବାରୁ ଏହି ବିଲ୍‌ ଅଣାଯାଇଥିବା ଅମିତ ଶାହ କହିଛନ୍ତି।

 

Breaking News