ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମହାମାରୀ ସମୟରେ ୮୦ କୋଟି ଲୋକଙ୍କୁ ମାଗଣାରେ ରାସନ ଦେବା ପାଇଁ ବ୍ୟବସ୍ଥା କରିଥିଲେ । କିନ୍ତୁ ରାଜ୍ୟରେ ବିଜେଡି ସରକାର ଏହି ଯୋଜନାରେ ବ୍ୟାପକ ହେରଫେର କରିବା ସହ ଖୋଦ୍ ମୁଖ୍ୟମନ୍ତ୍ରୀ ନିଜର ଆତ୍ମପ୍ରଚାର କରି ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି । ରାଜ୍ୟ ସରକାର ରାଜ୍ୟରେ ଭୂତ ରାସନକାର୍ଡଧାରୀଙ୍କ ସଂଖ୍ୟା ବୃଦ୍ଧି କରି କେନ୍ଦ୍ରୀୟ ଅନୁଦାନକୁ ଲୁଟ୍ କରୁଛନ୍ତି ବୋଲି ବିଜେପି ରାଜ୍ୟ ସଂପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ୯୨ ଲକ୍ଷ ୭୬ ହଜାର ୯୩୪ ରାସନକାର୍ଡ ଧାରୀ ଥିବାବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚଳିତ ବର୍ଷ ମେ ମାସରେ ମାତ୍ର ୮୭ ଲକ୍ଷ ୩୯ ହଜାର ୪୯୪ ଜଣ ରାସନ ନେଇଛନ୍ତି । ରାଜ୍ୟ ସରକାରଙ୍କ ସୂଚୀରୁ ୫ ଲକ୍ଷ ୪୩ ହଜାର ୬୯୯ ଜଣ ମାଗଣାରେ ରାସନ ନେଇ ନାହାଁନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ସେହି ମେ ମାସରେ ଜାତୀୟ ଖାଦ୍ୟ ସୁରକ୍ଷାରେ ୧ ଟଙ୍କା ଦେଇ ୮୮ଲକ୍ଷ ୭୬ ହଜାର ୧୬୨ ରାସନ ନେଇଛନ୍ତି । ଏହି ଯୋଜନାରେ ମଧ୍ୟ ୪ ଲକ୍ଷ ୦୭ ହଜାର ୦୩୧ଜଣ ରାସନ ନେଇ ନାହାଁନ୍ତି । ସେହିପରି ଜୁନ୍ ୨୦୨୧ରେ ୯୨ ଲକ୍ଷ ୭୭ ହଜାର ୪୮୫ ରାସନକାର୍ଡ ଧାରୀଙ୍କ ମଧ୍ୟରୁ ୮୮ ଲକ୍ଷ ୨୩ ହଜାର ୦୩୪ ଜଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ ଉଠାଇଛନ୍ତି । ଜୁନ୍ ମାସରେ ୪ଲକ୍ଷ ୫୪ହଜାର ୪୫୧ଜଣ ରାସନ ନେଇ ନାହାଁନ୍ତି । ଜୁନ୍ ୨୦୨୧ରେ ଜାତୀୟ ଖାଦ୍ୟ ସୁରକ୍ଷାରେ ୯୨ ଲକ୍ଷ ୭୭ ହଜାର ୪୮୫ ରାସନକାର୍ଡ ଧାରୀଙ୍କ ମଧ୍ୟରୁ ୮୮ଲକ୍ଷ ୭୨ ହଜାର ୮୨୭ଜଣ ୧ ଟଙ୍କା ଦେଇ ରାସନ ନେଇଛନ୍ତି । ସେଥିରେ ମଧ୍ୟ ୪ ଲକ୍ଷ ୦୪ ହଜାର ୬୫୮ଜଣ ରାସନ ସଂଗ୍ରହ କରିନାହାଁନ୍ତି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ରାଜ୍ୟ ସରକାର ପାଖପାଖି ୫ ଲକ୍ଷ କାର୍ଡଧାରୀଙ୍କୁ ଗରିବ କଲ୍ୟାଣ ଯୋଜନାରେ ରାସନ ବାଂଟି ପାରିନାହାଁନ୍ତି । ଏହି ବଳକା ଭୂତ ରାସନକାର୍ଡଧାରୀ କେଉଁମାନେ ଏବଂ କେନ୍ଦ୍ର ଦେଉଥିବା ବଳକା ରାସନ ଯାଉଛି କୁଆଡେ ଏବଂ ଭୂତ କାର୍ଡଧାରୀଙ୍କ ରାସନ କିଏ ଖାଉଛି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରେ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଡଧାରୀଙ୍କ ମଧ୍ୟରେ ପାର୍ଥକ୍ୟ କାହିଁକି ଦେଖାଦେଉଛି ? ମାଗଣାରେ କମ୍ ସଂଖ୍ୟାରେ ହିତାଧିକାରୀ ରାସନ ନେଉଥିବା ସମୟରେ ୧ ଟଙ୍କା ଦେଇ କିପରି ଅଧିକ ସଂଖ୍ୟାରେ ହିତାଧିକାରୀ ରାସନ ନେଉଛନ୍ତି ? ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ରାଜ୍ୟରେ ଭୂତ ହିତାଧିକାରୀଙ୍କ ତାଲିକା ଓଡିଶା ସରକାର କେନ୍ଦ୍ରକୁ ଦେଇଛନ୍ତି ଏବଂ ଏଠି ରାଜ୍ୟରେ ରାଜ୍ୟ ସରକାର ଭୂତ ରାସନକାର୍ଡ ଧାରୀଙ୍କ ତାଲିକା ବଢାଇ ଚାଲିଛନ୍ତି । ଓଡିଶାର କରୋନାର ପ୍ରଥମ ଲହରରେ ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୃକ୍ତ ପ୍ରାୟ ୯୫ ଲକ୍ଷ ୫୧ ହଜାର କାର୍ଡଧାରୀଙ୍କୁ ସରକାର ୧ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବା ପାଇଁ ୩୦ଟି ଜିଲ୍ଲାକୁ ୯୫୫ କୋଟି ୧୬ ଲକ୍ଷ ୯୫ ହଜାର ଟଙ୍କା ଆବଂଟନ କରାଯାଇଥିଲା । କିନ୍ତୁ ଜିଲ୍ଲା ଯୋଗାଣ ଅଧିକାରୀମାନେ ରାଜ୍ୟ ସରକାରଙ୍କୁ ମାତ୍ର ୯୩୪ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର (ୟୁସି) ପ୍ରଦାନ କରିଛନ୍ତି । ବଳକା ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ୱ କାର୍ଡଧାରୀଙ୍କୁ ୨୧ କୋଟି ଟଙ୍କା ବର୍ତମାନ ସୁଦ୍ଧା ବଂଟନ କରାଯାଇ ପାରିଲା ନାହିଁ । ସରକାର ମାଗିଥିବା ଫର୍ମାଟ ଅନୁଯାୟୀ ଏପର୍ଯ୍ୟନ୍ତ ଆବଂଟନର ବିନିଯୋଗ ପତ୍ର ଦେଇପାରି ନାହାଁନ୍ତି । ରାଜ୍ୟ ସରକାର ୧୪ ଜୁଲାଇ ୨୦୨୧ ଏବଂ ୧୫ ମାର୍ଚ୍ଚ ୨୦୨୧ ରାଜ୍ୟର ବିଭିନ୍ନ ଜିଲ୍ଲାର ସିସିଏସଓ/ସିଏସଓମାନଙ୍କୁ ପତ୍ର ଲେଖି ସେହି ଫର୍ମାଟରେ ଆବଂଟନ ବିନିଯୋଗ ପତ୍ର ମାଗିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ୯୩୪ କୋଟି ବିନିଯୋଗ ପ୍ରମାଣ ପତ୍ର ସଂପୂର୍ଣ୍ଣ ଭାବେ ଭୁଲ୍ ଅଛି । ଏହା ସହ ଅନେକ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆସିଥିବା ରାସନକୁ ରାଜ୍ୟ ସରକାର ଗୋଦାମ ଘରୁ ଉଠାଇନାହାଁନ୍ତି । ବରଗଡ, ଗଜପତି, ଜଗତସିଂହପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ, ପୁରୀ, ସୁନ୍ଦରଗଡ ଜିଲ୍ଲାରେ ୯୫ ପ୍ରତିଶତରୁ କମ ଚାଉଳ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଉଠିନାହିଁ । ଅନୁଗୁଳ, ବାଲେଶ୍ୱର, ବରଗଡ, ଭଦ୍ରକ, ବଲାଙ୍ଗୀର, କଟକ, ଗଂଜାମ, ଜଗତସିଂହପୁର, ଝାରସୁଗୁଡା, କଳାହାଣ୍ଡି, କେନ୍ଦ୍ରାପଡା, ଖୋର୍ଦ୍ଧା, ମୟୁରଭଂଜ, ନବରଙ୍ଗପୁର, ନୟାଗଡ, ପୁରୀ , ସୁନ୍ଦରଗଡ ଜିଲ୍ଲାରେ ୯୦ ପ୍ରତିଶତରୁ କମ ଗହମ ପଡିରହିଛି । ଗରିବ ଲୋକଙ୍କୁ ୧ ହଜାର ଟଙ୍କା ଆବଂଟନରେ ହେରଫେର ମାମଲା ଲୋକାଯୁକ୍ତଙ୍କ ପାଖରେ ପଡି ରହିଛି । ଏହାର ଜବାବ ରାଜ୍ୟ ସରକାର ଲୋକାୟୁକ୍ତଙ୍କୁ ଦେଇ ପାରୁ ନାହାଁନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣାରେ ରାସନ ନେବା ପାଇଁ ଲୋକମାନଙ୍କୁ ସଚେତନ ଓ ସୂଚନା ଦେବା ପାଇଁ ରାଜ୍ୟର ସମସ୍ତ ରାସନ ବିତରଣ କେନ୍ଦ୍ର, ଗୋଦାମ, ସରକାରୀ କାର୍ଯ୍ୟାଳୟ, ଜନଗହଳି ସ୍ଥାନମାନଙ୍କରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱୀକୃତ ଡିଜାଇନ ଆଂଚଳିକ ଭାଷାରେ ପୋଷ୍ଟର ଓ ବ୍ୟାନର ଲଗାଇବା ପାଇଁ ନିର୍ଦ୍ଦେଶ ରହିଥିଲା । ଏହା ସହ ହ୍ୱାଟସଆପ ଗ୍ରୁପ ମାନଙ୍କରେ ଏହାର ପ୍ରଚାର ପ୍ରସାର କରିବା ଏବଂ ରାସନ ନେବା ପରେ ହିତାଧିକାରୀଙ୍କ ଭିଡିଓ କରି ପଠାଇବା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟରେ ନବୀନ ସରକାରଙ୍କ ଏହି ଯୋଜନାରେ କୌଣସି ଆର୍ଥିକ ଭୂମିକା ନଥିବା ସତ୍ୱେ କେନ୍ଦ୍ରୀୟ ଗାଇଡଲାଇନକୁ ପାଳନ ନକରି ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ ଫଟୋ ଲଗାଇ ବଡ ବଡ ବିଜ୍ଞାପନରେ ନିଜର ଆତ୍ମପ୍ରଚାର ଚଲାଇଛନ୍ତି । କେନ୍ଦ୍ରୀୟ ଗାଇଡଲାଇନକୁ ରାଜ୍ୟ ସରକାର ଉଲ୍ଲଘଂନ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ ଘଟଣା ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । । ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଯୋଗ୍ୟ ହିତାଧିକାରୀମାନେ ରାସନ କାର୍ଡ ପାଇବା ପାଇଁ ପଂଚାୟତ, ବ୍ଲକ ଓ ମ୍ୟୁନିସପାଲିଟି ସ୍ତରରେ ଆବେଦନ କରିବା ପରେ ରାଜ୍ୟ ସରକାର ସେମାନଙ୍କୁ ରାସନ କାର୍ଡ ଯୋଗାଇବାରେ ବିଫଳ ହୋଇଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଗଣାରେ ରାସନ ଯୋଗାଉଥିବା ସମୟରେ ରାଜ୍ୟ ସରକାର ୫ ଲକ୍ଷ ଭୂତ ରାସନ କାର୍ଡଧାରୀଙ୍କ ତାଲିକା କେନ୍ଦ୍ରକୁ ଦେଇଛନ୍ତି । ଯୋଗ୍ୟ ହିତାଧିକାରୀ ମାନଙ୍କୁ ରାସନ କାର୍ଡ ନଦେଇ ରାଜ୍ୟ ସରକାର ଗରିବ ମାରଣ ନୀତି ଆପଣାଇଛନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାର ୱାନ ନେସନ ୱାନ ରାସନ ଯୋଜନା ଆରମ୍ଭ କରିଥିବାବେଳେ ରାଜ୍ୟ ସରକାର ଏହାକୁ ଏପର୍ଯ୍ୟନ୍ତ ଲାଗୁ କରିପାରି ନାହାଁନ୍ତି । ଯାହା ଫଳରେ ରାଜ୍ୟ ବାହାରେ ନିଜର ରୋଜଗାର ପାଇଁ ଯାଇଥିବା ଲକ୍ଷ ଲକ୍ଷ ଓଡିଆ ରାସନ ପାଇବାରୁ ବଂଚିତ ରହୁଛନ୍ତି । ରାଜ୍ୟ ସରକାର କେବେ ୱାନ ନେସନ ୱାନ ରାସନ ଯୋଜନା ଲାଗୁ କରିବେ ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଏବଂ ଯତୀନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
Discussion about this post