ରିପୋର୍ଟ କାର୍ଡ / ଭୁବନେଶ୍ୱର
ମିଲ୍ରେ ପଡି ରହିଥିବା ୨୪ ଲକ୍ଷ ମେଟ୍ରିକ ଟନ ବଳକା ଉଷୁନା ଚାଉଳକୁ ଏଫସିଆଇ ଉଠାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ଏହି ଚିଠି ପରେ ରାଜ୍ୟ ସରକାରକୁ ଘେରିଛି ବିଜେପି । ରାଜ୍ୟର ଚାଷୀଙ୍କ ଭିତରେ ଅସନ୍ତୋଷ ଥିବାରୁ ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ଚିଠି ଲେଖାଯାଇଥିବା ବିରୋଧୀ ସମାଲୋଚନା କରିଛନ୍ତି। ଜବାବ ରଖି ବିଜେଡି କହିଛି ବିଜେପି ଚାଷୀଙ୍କ ସ୍ବାର୍ଥ ରକ୍ଷା ନକରି ଶସ୍ତା ରାଜନୀତି କରୁଛି। କଂଗ୍ରେସ ମଧ୍ୟ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି| ପୁଣି ତେଜିଲା ଚାଉଳ ରାଜନୀତି । ଅତିରିକ୍ତ ଉଷୁନା ଚାଉଳ କିଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ରାଜନୀତି ଜୋର ଧରିଛି। ବିଜେପି ରାଜ୍ୟସରକାରଙ୍କୁ ଘେରିଛି। ଚାଷୀଙ୍କ ପ୍ରତି କେତେ ଦରଦ, ମିଲରଙ୍କ ସ୍ବାର୍ଥ ରକ୍ଷା ପାଇଁ କେତେ ତତ୍ପର ତାହା ଏହି ଚିଠିରୁ ଜଣାପଡୁଥିବା ବିଜେପି କଟାକ୍ଷ କରିଛି । କେନ୍ଦ୍ର ସରକାରଙ୍କ ଖାଦ୍ୟ ଯୋଗାଣ ସଚିବ ସବୁ ରାଜ୍ୟର ସଚିବଙ୍କୁ ନେଇ ବୈଠକ ଡାକିଥିଲେ । ସେହି ବୈଠକରେ ଓଡିଶା ସରକାରଙ୍କ ସଚିବ କାହିଁକି ସଚିବ ଚୁପ ବସିଥିଲେ, ୨ ମାସ ପରେ ମୁଖ୍ୟମନ୍ତ୍ରୀ କାହିଁକି ଚିଠି ଲେଖିଲେ ବୋଲି ବିଜେପି ପ୍ରଶ୍ନ କରିଛି। ଏହାସହ ଅଭିଯୋଗର ଲମ୍ବା ଫର୍ଦ୍ଦ ରଖିଛି ବିଜେପି । ୭ ହଜାର ଚାଷୀଙ୍କ ଟୋକେନ ଲାପ୍ସ ହୋଇଗଲା । ବସ୍ତା, ଲେବର ଚାର୍ଜ, ପରିବହନ ବାବଦରେ କେନ୍ଦ୍ର ସରକାର ଦେଉଥିବା ଟଙ୍କା ଚାଷୀ ପାଉନାହାନ୍ତି । ଟୋକନ ଲାପ୍ସ ହୋଇଥିବା ଚାଷୀଙ୍କ ଧାନ କିଣିବା ପାଇଁ କାହିଁକି ନିର୍ଦ୍ଦେଶ ଦିଆଗଲାନି । ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବା ସହ ମିଲରଙ୍କ ଲାଭ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିବା ବିଜେପି ଅଭିଯୋଗ କରିଛି। ବିଜେପିର ସଂଗୀନ ଅଭିଯୋଗ ଉପରେ ଜବାବ ରଖି ବିଜେଡି କହିଛି, ଚାଷୀଙ୍କ ସ୍ବାର୍ଥ ରକ୍ଷା କରିବା ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି, ପଞ୍ଚାୟତ ନିର୍ବାଚନ ସହିତ ଏହାର କୌଣସି ସମ୍ପର୍କ ନାହିଁ। ମିଲରେ ଏବେବି ଧାନ ପଡିରହିଛି । ୧୪ ଲକ୍ଷ ଚାଷୀ ପଞ୍ଚିକରଣ କରିଥିଲେ । ୫୨ ଲକ୍ଷ ଟନ ଚାଉଳ ସଂଗ୍ରହ ହୋଇଥିଲା । ୨୪ଲକ୍ଷ ଟନ୍ ଉଷୁନା ଚାଉଳ ଏବଂ ୪ଲକ୍ଷ ଟନ୍ ଅରୁଆ ଚାଉଳ ନେବା ପରେ ଏଫସିଆଇ ବାକି ୨୪ ମେଟ୍ରିକ ଟନ୍ ଚାଉଳ କିଣୁ ନଥିବା ବିଜେଡି କହିଛି ବିଜେପି ଶସ୍ତା ରାଜନୀତି କରୁଥିବା ବେଳେ ଧାନର ଏମ୍ଏସ୍ପି ୨୯୩୦ ଟଙ୍କା କରିବା ଏବଂ ସ୍ବାମୀ ନାଥନ କମିଟି ରିର୍ପୋଟ ଲାଗୁ କରିବା ପାଇଁ ଦାବି କରୁନଥିବା ବିଜେଡି କହିଛି। ଏପଟେ କଂଗ୍ରେସ ଚେତାବନୀ ଦେଇଛି, ଉଭୟ ସରକାର ନିଜ ଭତରେ କଥା ହୋଇ ଚାଷୀଙ୍କ ବଳକା ଚାଉଳ କିଣନ୍ତୁ ନଚେତ ଆନ୍ଦୋଳନ କରାଯିବ । ପ୍ରତି ବର୍ଷ ଧାନ ସଂଗ୍ରହ ପରେ ଉଷୁନା ଚାଉଳ ପ୍ରସଙ୍ଗ ଉଠୁଛି । ଚିଠି ପରେ ଚିଠି ଲେଖୁଛନ୍ତି ରାଜ୍ୟସରକାର , କିନ୍ତୁ ସମାଧାନ ହେଉନି । ଫଳରେ ଚାଷୀ ହଇରାଣ ହେବା ସାର ହେଉଛି ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଭିଜିଲାନ୍ସ ଜାଲରେ ଏଏସଆଇ……
ମାସକୁ ଅଢେଇ ଲକ୍ଷ ପାଇବେ ବିଧାୟକ!…..