ରିପୋର୍ଟ କାର୍ଡ / ରାଉରକେଲା
ଗତ ୧୧ ତାରିଖରୁ ରାଉରକେଲାରେ ବ୍ୟାପିଥିବା ଡାଇରିଆ ଚିନ୍ତାବଢ଼ାଇଛି | ସଂକ୍ରମଣ ରୋକିବାକୁ ଉଭୟ ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟବିଭାଗ ଉଦ୍ୟମ ଜାରି ରଖିଛନ୍ତି। ମଙ୍ଗଳବାର ବନ୍ଧମୁଣ୍ଡା ତିଲକନଗରର ୮ ବର୍ଷର ଶିଶୁକନ୍ୟା ଅଞ୍ଜଳି ଶୁଣ୍ଢିଙ୍କର ମୃତ୍ୟୁ ହୋଇଛି। ଏହି ଶିଶୁକନ୍ୟାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଜିଏଚ୍ରେ କେବଳ ୫ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦିଆଯାଇଛି। ମଙ୍ଗଳବାର ପର୍ଯ୍ୟନ୍ତ ରାଉରକେଲା ଓ ଏହାର ଆଖପାଖରେ ୫୮୦ ଜଣ ଡାଇରିଆରେ ଆକ୍ରାନ୍ତ ହେଲେଣି। କେବଳ ରାଉରକେଲା ସହରରେ ୪୨୯, ବିଭିନ୍ନ ବ୍ଲକରୁ ୧୧୩ ଜଣ ଡାଇରିଆ ରୋଗୀ ଆର୍ଜିଏଚ୍ ଓ ବିଭିନ୍ନ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୪୪ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମଙ୍ଗଳବାର ରାତି ବେଳକୁ କେବଳ ଆର୍ଜିଏଚ୍ରେ ୧୫୩ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି। ଆର୍ଜିଏଚ୍ରୁ ୫ ଗୁରୁତର ରୋଗୀଙ୍କୁ ବୁର୍ଲା, ୪ ଜଣଙ୍କୁ ବେଦବ୍ୟାସସ୍ଥ ଜେପି ହସ୍ପିଟାଲ, ୪ ଜଣଙ୍କୁ ହାଇଟେକ୍ ମେଡ଼ିକାଲ, ୨ ଜଣଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)କୁ ସ୍ଥାନାନ୍ତର କରାଯାଇଛି। ରାଉରକେଲା ଅତିରକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହପାତ୍ର କହିଛନ୍ତି, ଡାଇରିଆ ରୋକିବାକୁ ଆର୍ଏମ୍ସି, ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟବିଭାଗ ଅହରହ କାମ କରୁଛନ୍ତି। ସ୍ଥିତି ନିୟନ୍ତ୍ରଣରେ ରହିଛି। ମଙ୍ଗଳବାର ସୁଦ୍ଧା କେବଳ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ଡାଇରିଆ ନା’ ଅନ୍ୟ କେଉଁ କାରଣରୁ ମୃତ୍ୟୁବରଣ କରିଛନ୍ତି, ତଦନ୍ତ କରିବାକୁ ସିଡିଏମ୍ଓଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। କମିଟି ଯାଞ୍ଚ କରିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।






More Stories
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..