ରିପୋର୍ଟ କାର୍ଡ / କଟକ
ଜନ୍ମକଲା ବାପା ନାବାଳିକା ଝିଅକୁ ଘରେ ଭିତରେ ଏକ ମାସ କାଳ ଯୌନ ନିର୍ଯାତନା ଦେବା ଭଳି ଚାଞ୍ଚଲ୍ୟକର ଘଟଣା କଟକରେ ଘଟିଛି। ଏ ସଂକ୍ରାନ୍ତରେ ପୀଡ଼ିତା ନାବାଳିକା ନିଜେ ବାଦାମବାଡ଼ି ଥାନାରେ ଅଭିଯୋଗ କରିଛି। ପୋଲିସ ନାବାଳିକାର ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି। ଏଭଳି ଲଜ୍ଜାଜନକ କାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ବାପାକୁ ପୋଲିସ ଘରୁ ଉଠାଇନେଇଥିବା ଜଣାପଡିଛି । ବାଦାମବାଡ଼ି ଥାନା ଶଙ୍କରପୁର ମଙ୍ଗଳାଲେନ୍ ଅଞ୍ଚଳରେ ସ୍ବାମୀ-ସ୍ତ୍ରୀ ଓ ତାଙ୍କ ଦୁଇ ଝିଅ ରୁହନ୍ତି। ସ୍ବାମୀ ଜୟଶ୍ରୀ ସିନେମା ହଲ୍ ନିକଟରେ ଫଳ ବ୍ୟବସାୟ କରନ୍ତି । ଗଲା ଏକମାସ ହେବ ତା ପତ୍ନୀ ଅନ୍ୟ ଜଣେ ଯୁବକ ସହିତ କେଉଁଆଡ଼େ ଫେରାର୍ ହୋଇଯାଇଥିଲେ। ଘରେ ଦୁଇ ଝିଅ ଓ ବାପା ରହୁଥିଲେ। ତେବେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ୧୫ ବର୍ଷୀୟା ନାବାଳିକା ଝିଅକୁ, ବାପା ଗଲା ଏକ ମାସ ହେବ ଦୁଷ୍କର୍ମ କରିଆସୁଥିଲା। ଯୌନ ନିର୍ଯାତନାରେ ଅତିଷ୍ଠ ହୋଇ ନାବାଳିକାଜଣକ ବାଦାମବାଡ଼ି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଗ୍ରହଣ କରିଥିବା ବେଳେ ଏଭଳି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ବର ସହିତ ଗ୍ରହଣ କରିଛି। ତୁରନ୍ତ ନାବାଳିକାର ପ୍ରାଥମିକ ଚିକିତ୍ସା ପରେ ବସୁନ୍ଧରାରେ ଭର୍ତ୍ତି କରାଯାଇଛି। ୧୨ ବର୍ଷୀୟ ସାନ ଭଉଣୀକୁ ବି ପୋଲିସ ଉଦ୍ଧାର କରିଛି। ଅନ୍ୟପଟେ ଆସନ୍ତାକାଲି ପୀଡ଼ିତା ନାବାଳିକାଙ୍କୁ ସିଡବ୍ଲୁସିରେ ହାଜର କରାଯିବ। ସେଠାରେ ପୀଡ଼ିତାର ବୟାନ ରେକର୍ଡ କରାଯିବ। ଘର ଭିତରେ ନାବାଳିକା ଝିଅକୁ ଦୁଷ୍କର୍ମ ଭଳି ଲଜ୍ଜାଜନକ ଘଟଣା କଟକ ସହରରେ ଗଲା ୧୦ ବର୍ଷ ଭିତରେ ୬ଟି ଘଟିଲାଣି। ଏଥିରୁ ତିନୋଟି ମାମଲାରେ କୋର୍ଟ ଅଭିଯୁକ୍ତ ବାପାକୁ ଦୋଷୀ ସାବ୍ୟସ୍ତ କରିଥିବା ସୂଚନା ମିଳିଛି।
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……