Report Card Odisha

| Daily Odia News

ରଥରେ ବସିଲା କଣି ଫାଉଡ଼ି…..

ରିପୋର୍ଟ କାର୍ଡ / ପୁରୀ

ରଥ ନିର୍ମାଣ କାର୍ଯ୍ୟ ୫୩ ଦିନରେ ପହଞ୍ଚିଛି। ଆଜି ତିନିରଥରେ ଭୋଇ ସେବକମାନେ ମିଶି ତିନି ରଥର ଦୁଇଟି ଲେଖାଏଁ ପାର୍ଶ୍ୱ ଦୁଆର ବେଢ଼ାକୁ ବାଉଁଶ ତେଣ୍ଟିଆ ସହାୟତାରେ ଉଠାଇ ନାଟ ଗୋଡ଼ ସହ ସଂଯୋଗ କରିଛନ୍ତି। ତିନିରଥର ଦୁଆର ବେଢ଼ାକୁ ମଜବୁତ୍ ରଖିବା ପାଇଁ ଦୁଆର ବେଢ଼ାଗୁଡ଼ିକର ଉପର ଭାଗ ଚନ୍ଦ୍ରଶାଳୀରେ ଧ୍ୱଜ ବତା ସଂଯୋଗ କରାଯାଇଛି। ମଝି ଭୂଇଁ ଶେଣିରେ କଣ୍ଟା ବସି ସେଟିଂ କରାଯାଇଛି। ଏଥିସହ ତିନି ରଥର ଦୁଆର ବେଢ଼ାକୁ ବାନ୍ଧି ରଖିବା ପାଇଁ ପ୍ରତି ଦୁଆର ବେଢ଼ାର ନାଟ ଗୋଡ଼ ସହ ଚଉଦ ନାହାକାରେ ଦୁଇଟି ଲେଖାଏଁ ସପୋର୍ଟ ବଟନ୍ ବା ଦୁଆର ବାଣିଆ ପ୍ରତି ରଥରେ ୧୬ଟି ଲେଖାଏଁ ଖଞ୍ଜାଯାଇଛି। ମହାରଣା ସେବକମାନେ ତିନି ରଥ ଭୋଇ ସେବକଙ୍କ ସହଯୋଗରେ ତିନି ରଥର ପ୍ରତି କୋଣଗୁଡ଼ିକରେ ଦୁଇଟି ଲେଖାଏଁ କଣି ଫାଉଡ଼ି ବସାଇଛନ୍ତି। ତିନିରଥ ଚାରି ପାର୍ଶ୍ବରେ ଦୁଇଟି ଲେଖାଏଁ ମଣ୍ଡଣୀବତା ପଡ଼ି ବଡ଼ଥଳ ପୋଟଳଠାରୁ ଚନ୍ଦ୍ର ଶାଳୀ ପର୍ଯ୍ୟନ୍ତ ଲାଗିଛି। ଆସନ୍ତାକାଲି ‘ହାତିଆଳ ମାଳ’ ବା କାଠ ବଟନ୍ ଆଠଟି ଲେଖାଏଁ ବଡ଼ ଥଳ ପୋଟଳ ଠାରୁ ଦୁଆର ବେଢ଼ା ପର୍ଯ୍ୟନ୍ତ ଖଞ୍ଜା ଯିବ। ଫଳରେ ରଥରେ କନା ପଡ଼ିବା ସୁବିଧା ଜନକ ହେବା ସହ ରଥର କନା ଆବରଣ ଏକ ଗୋଲାକାର ଆକୃତି ଦୃଶ୍ୟମାନ ହେବ। ଏଥିରେ ରଥର ଗଠନ ଶୈଳୀ ସୁନ୍ଦର ଦେଖାଯିବା ସହ ରଥ କନା ସୁରକ୍ଷିତ ରହିବ।

Breaking News