ରିପୋର୍ଟ କାର୍ଡ / ପୁରୀ
ବହୁ ବର୍ଷର ବ୍ୟବଧାନ ପରେ ମଙ୍ଗଳବାର ତିନି ରଥ ନିର୍ଦ୍ଧାରିତ ସମୟ ଭିତରେ ଶରଧାବାଲିରେ ପହଞ୍ଚିପାରି ନଥିଲା । ଏହାର ଏବେ କାରଣ ଖୋଜା ଚାଲିଛି। ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏହାର ସମୀକ୍ଷା କରୁଛନ୍ତି। ପ୍ରତିବର୍ଷ ଯେଉଁଠି ତିନି ରଥ ସମୟ ଅନୁସାରେ ଶରଧାବାଲିରେ ପହଞ୍ଚି ଯାଉଥିଲେ, ସେଠି ଚଳିତବର୍ଷ କାହିଁକି ତିନି ରଥ ପହଞ୍ଚିଲାନି, ତା’ର କାରଣ ଖୋଜା ଚାଲିଛି। ଏଭଳି ସ୍ଥିତିରେ ପରିଚାଳନାଗତ ସମସ୍ୟା ଓ ପ୍ରଶାସନିକ ଅଧିକାରୀଙ୍କ ସମନ୍ବୟ ଅଭାବକୁ ଦାୟୀ କରିଛନ୍ତି ସାଧାରଣ ଭକ୍ତ। ତିନିଟି ମୂଳ କାରଣକୁ ଭକ୍ତ ତଥା ପ୍ରଶାସନିକ ଅଧିକାରୀମାନେ ଦାୟୀ କରୁଛନ୍ତି। ପ୍ରଥମ ସମସ୍ୟା ହେଉଛି, ରଥ ଗଡ଼ିବା ନେଇ ଯେଉଁ ସଙ୍କେତ ଦିଆଯାଇଥାଏ, ସେଥିରେ ଆଜି ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି। କାହାରି ଭିତରେ ସମନ୍ବୟ ରହିନି। ରଥ ଟାଣିବା ବେଳେ ରଥ ଗଡ଼ିବା ଓ ରୋକିବା ପାଇଁ ବ୍ୟବହୃତ ପତାକା ଦେଖାଇବାକୁ ରଥ ଆଗରେ ଓ ରଥ ଉପରେ ଜେଟିପି, ପୁଲିସ ରହିଥାନ୍ତି। ସେହି ଅନୁସାରେ ପୁଲିସ ଡାକବାଜି ଜରିଆରେ ଘୋଷଣା ପରେ ରଥ ଗଡ଼ିଥାଏ। ରଥ କେଉଁଆଡ଼କୁ ମୋଡ଼ ନେବ, ସେ ସମ୍ପର୍କରେ ବି ସଂକେତ ଜରିଆରେ ସୂଚନା ପାଇବା ପରେ ପୁଲିସ ଡାକବାଜି ଜରିଆରେ ଘୋଷଣା କରିଥାନ୍ତି ଓ ସେହି ଦିଗକୁ ରଥ ଗଡ଼ିଥାଏ। ଅଭିଯୋଗ ଉଠିଛି, ଆଜି ରଥ ତଳେ ଓ ରଥ ଉପରେ ଯେଉଁମାନେ ରହିଥିଲେ, ସେମାନେ ପତାକା ଦେଖାଇବାରେ ସେତେଟା ତାଳମେଳ ରହିନଥିଲା। ସେପଟେ ଡାକବାଜି ଜରିଆରେ ଘୋଷଣା କରୁଥିବା ପୋଲିସ ବି ଏହି ପତାକାକୁ ଅନୁପାଳନ କରିନଥିଲେ। ଯେଉଁଥିପାଇଁ ଆଜି ତିନି ରଥ ବଡ଼ଦାଣ୍ଡରେ ସିଂହଦ୍ବାରରୁ ମେଡିକାଲ୍ ଛକ ଭିତରେ ବାରମ୍ବାର ଡାହାଣ କୋଣ ମାଡ଼ି ଚାଲିଥିଲା। ଏଥିପାଇଁ ଏକାଧିକ ଥର ବଡ଼ଦାଣ୍ଡରେ ତିନି ରଥକୁ ଅଟକିବାକୁ ପଡ଼ିଥିଲା। ଯେଉଁଥିପାଇଁ ରଥ ଗଡ଼ିବା ବିଳମ୍ବ ହୋଇଥିଲା ବୋଲି କୁହାଯାଉଛି।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..