Report Card Odisha

| Daily Odia News

ରତ୍ନଭଣ୍ଡାର ସୁଡ଼ଙ୍ଗ ରହସ୍ୟ ଉନ୍ମୋଚନ ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ଅଛି କି ନାହିଁ, ଖୁବଶୀଘ୍ର ତାହାର ରହସ୍ୟ ଉନ୍ମୋଚନ ହେବ। ସୁଡ଼ଙ୍ଗ ନେଇ ସ୍ପଷ୍ଟ ହେବା ପାଇଁ ସର୍ଭେ ଆରମ୍ଭ ହେବ ବୋଲି ସୋମବାର ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି। ରତ୍ନଭଣ୍ଡାର ମାଟିତଳେ କିମ୍ବା କାନ୍ଥ ଭିତରେ କିଛି ଅଛି କି ନାହିଁ ସେ ସଂକ୍ରାନ୍ତରେ ଜାଣିବା ପାଇଁ ଏହି ସର୍ଭେ କରାଯିବ। ପ୍ରଥମେ ରତ୍ନଭଣ୍ଡାର ମରାମତି କରାଯିବ। ମରାମତି ପରେ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ୧୯୭୮ମସିହାର ଡାଟାବେସ ଅନୁଯାୟୀ ଅଳଙ୍କାର ମେଳ କରାଯିବ। ବାହାର ଭଣ୍ଡାର ଦେଇ ଭିତର ଭଣ୍ଡାରକୁ ପ୍ରବେଶ କରିବା ପରେ ଏହି ସୁଡ଼ଙ୍ଗ ଦୃଶ୍ୟମାନ ନେଇ ୧୯୭୮ରେ ଭିତର ଭଣ୍ଡାର ଖୋଲାଯିବା ସମୟରେ ଏ ସମ୍ପର୍କିତ ତଥ୍ୟ ରେକର୍ଡ କରାଯାଇଛି। ବ୍ରିଟିଶ ସମୟରେ ୧୯୨୬ ମସିହା ଓ ପରେ ଶେଷଥର ପାଇଁ ୧୯୭୮ ରେ ରତ୍ନଭଣ୍ଡାରର ଯାଞ୍ଚ ହୋଇଥିଲା। ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ଏବଂ ମରାମତି ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏଏସ୍‌ଆଇ ଡିଜିଙ୍କୁ ଚିଠି ଲେଖିଛନ୍ତି। ଖୁବ୍‌ଶୀଘ୍ର ଯାଞ୍ଚ କରି ମରାମତି କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଏଥିସହିତ ଉନ୍ନତମାନର ଅନୁଷ୍ଠାନ ଦ୍ୱାରା ଯାଞ୍ଚ ପ୍ରକ୍ରିୟା କରିବା ପାଇଁ ମୁଖ୍ୟ ପ୍ରଶାସକ ନିବେଦନ କରିଛନ୍ତି। ଲେଜର ସ୍କାନିଂ ଓ ଜିପିଆର୍‌ଏସ୍‌ ଦ୍ୱାରା ଯାଞ୍ଚ ପାଇଁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି। ଯାଞ୍ଚ ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ପାଢୀ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

Breaking News