Report Card Odisha

| Daily Odia News

ଆଜି ରତ୍ନଭଣ୍ଡାର ଯାଞ୍ଚ, ସାଧାରଣ ଦର୍ଶନ ବନ୍ଦ…..

ରିପୋର୍ଟ କାର୍ଡ / ପୁରୀ

ଆଜି ପୁଣି ରତ୍ନଭଣ୍ଡାର ଚଟାଣର ଯାଞ୍ଚ ହେବ। ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ରହସ୍ୟ। ଗୁପ୍ତ କୋଠରୀ ଏବଂ ସୁଡଙ୍ଗ ରହସ୍ୟ ଉନ୍ମୋଚନ ପାଇଁ ପ୍ରଥମ ଦିନରେ ପେନିଟ୍ରେଟିଂ ରାଡାର ସର୍ଭେ ସରିଛି । ଉଭୟ ଭିତର ଏବଂ ବାହାର ରତ୍ନଭଣ୍ଡାରରେ ଜିପିଆର୍ ସର୍ଭେ ହୋଇଛି । ଶନିବାର ପ୍ରାୟ ୧୦ ଫୁଟ ଗଭୀର ପର୍ଯ୍ୟନ୍ତ ଭୂତଳ ସ୍ଥିତି ଅନୁଧ୍ୟାନ କରାଯାଇଛି। ହାଇଦ୍ରାବାଦର ଏନଜିଆରଆଇ ମୁଖ୍ୟ ବୈଜ୍ଞାନିକ ଡ. ଆନନ୍ଦ କୁମାର ପାଣ୍ଡେଙ୍କ ନେତୃତ୍ବରେ ତିନିଜଣିଆ ବୈଷୟିକ କମିଟି ଭିତର ଓ ବାହାର ରତ୍ନଭଣ୍ଡାରର ସର୍ଭେକ୍ଷଣ କରୁଛନ୍ତି। ଆଜି ଦିନ ୧ଟା ଠାରୁ ସନ୍ଧ୍ୟା ପ୍ରାୟ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ରତ୍ନଭଣ୍ଡାର ଭିତରେ ଆଉ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ରହିଛି କି ନାହିଁ ସେଥିନେଇ ବିଶେଷଜ୍ଞ କମିଟି ସୂଚନା ଦେଇନାହାନ୍ତି। ତେବେ ଚଳିତ ମାସ ଶେଷସୁଦ୍ଧା ସର୍ଭେ ରିପୋର୍ଟ ପ୍ରଦାନ କରାଯିବ ବୋଲି ଡ. ପାଣ୍ଡେ କହିଛନ୍ତି। ରତ୍ନଭଣ୍ଡାର ଯାଞ୍ଚ ଶେଷ ହେବା ପରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଦ୍ବାରା ଆବଶ୍ୟକ ମରାମତି କରାଯିବ। ଦୁଇଟି ଯାକ ରତ୍ନଭଣ୍ଡାର କବାଟଗୁଡ଼ିକୁ ସୁନା ଛାଉଣୀ କରାଯିବ। ଏହାପରେ ଅସ୍ଥାୟୀ ରତ୍ନଭଣ୍ଡାରରେ ସାମୟିକ ଭାବେ ରଖାଯାଇ ଥିବା ମହାପ୍ରଭୁଙ୍କ ମୂଲ୍ୟବାନ ରତ୍ନ ଅଳଙ୍କାରଗୁଡ଼ିକୁ ରତ୍ନଭଣ୍ଡାରକୁ ନିଆଯିବ। ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗଣତି ମଣତି, ମାନ ନିର୍ଦ୍ଧାରଣ, ମୂଲ୍ୟାଙ୍କନ ଏବଂ ଡିଜିଟାଇଜେସନ କରାଯିବ। ତଦାରଖ କମିଟିର ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ, ମୁଖ୍ୟ ପ୍ରଶାସକ ଡ. ପାଢ଼ୀ, ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏଏସ୍‌ଆଇ ଅଧୀକ୍ଷକ ଡ. ଡି.ବି.ଗଡ଼ନାୟକ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର ହରିହର ହୋତା, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଜୋଶୀ ମହାପାତ୍ର ପ୍ରମୁଖ ୧୬ ଜଣ ସଦସ୍ୟ ଉପସ୍ଥିତ ଥିଲେ।

Breaking News