ରିପୋର୍ଟ କାର୍ଡ / ମୁମ୍ବାଇ
ବଲିଉଡ଼ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ରବିବାର ଗିରଫ କରିଛି ଏନ୍ସିବି। ମୁମ୍ବଇରୁ ଗୋଆ ଯାଉଥିବା ଏକ କ୍ରୁଜରେ ଚାଲିଥିବା ରେଭ୍ ପାର୍ଟି ଓ ସେଠାରୁ ଜବତ ହୋଇଥିବା ଡ୍ରଗ୍ସ ମାମଲାରେ ଏନ୍ସିବି ଆର୍ଯ୍ୟନଙ୍କୁ ଅଟକ ରଖିଥିଲା। ଆର୍ଯ୍ୟନଙ୍କ ବ୍ୟତୀତ ଆଉ ଦୁଇ ଜଣ ମଧ୍ୟ ଗିରଫ ହୋଇଛନ୍ତି। ସେମାନେ ହେଉଛନ୍ତି ଅଭିନେତା ଅରବାଜ୍ ମର୍ଚ୍ଚାଣ୍ଟ ଓ ମଡେଲ ମୁନମୁନ୍ ଧାମେଚା। ୩ ଜଣଙ୍କୁ ଗିରଫ କରିବା ପରେ ସେମାନଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ଏହାପରେ ସନ୍ଧ୍ୟାରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି। ଆର୍ଯ୍ୟନ୍ ଓ ତାଙ୍କ ବନ୍ଧୁମାନଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍ସିବି)। ଏନସିବି ସୂଚନା ଅନୁଯାୟୀ, ଡ୍ରଗ୍ସ ସେବନ ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଶନିବାର ରାତିରେ ଏନସିବି ମୁମ୍ବଇ କ୍ରୁଜରେ ଚାଲିଥିବା ରେଭ୍ ପାର୍ଟିରେ ଚଢାଉ କରିଥିଲା। କ୍ରୁଜରେ ରେଭ୍ ପାର୍ଟି ଓ ଡ୍ରଗ୍ସ ସେବନ ସମ୍ବନ୍ଧୀୟ ଖବର ବିଶେଷ ସୂତ୍ରରୁ ପାଇ ଏନ୍ସିବି ଟିମ୍ ଯାତ୍ରୀ ବେଶରେ ଯାଇ ଚଢାଉ କରିଥିଲା। ଏହି ମାମଲାରେ ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଏନ୍ସିବି। ବଲିଉଡ ଲିଙ୍କ୍ ନେଇ ଆଗକୁ ଅଧିକ ଖୋଳତାଡ଼ ହେବ ବୋଲି ଏନସିବି ମୁଖ୍ୟ କହିଛନ୍ତି । କାରଣ ଏହି ଡ୍ରଗ୍ସ ରେଭ୍ ପାର୍ଟି ଦ୍ୱାରା ଯୁବବର୍ଗ ଏହାପ୍ରତି ଆକର୍ଷିତ ହେଉଥିବାରୁ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଏନସିବି ମୁଖ୍ୟ ସତ୍ୟନାରାୟଣ ପ୍ରଧାନ କହିଛନ୍ତି ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……