Report Card Odisha

| Daily Odia News

ରେଭେନ୍ସା ନାଁ ବଦଳିବା ଦରକାର, ଏହା ମୋର ବ୍ୟକ୍ତିଗତ ମତ…..

ରିପୋର୍ଟ କାର୍ଡ / କଟକ

ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି। ଆଜି କଟକରେ ସ୍ୱାୟତ୍ତ ଶାସନ ଦିବସ ଉତ୍ସବରେ ଯୋଗ ଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କ ଭୂମିକା କ’ଣ ଥିଲା | ନଅଙ୍କ ଦୁର୍ଭିକ୍ଷ ବେଳେ ସେହି ରେଭେନ୍ସା ବ୍ୟକ୍ତି ଜଣଙ୍କ କରୁଥିଲେ କଣ | ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କ’ଣ ଗୌରବର ବିଷୟ କି ବୋଲି ପଚାରିଛନ୍ତି ଧର୍ମେନ୍ଦ୍ର। ରେଭେନ୍ସାର ନାଁ ବଦଳିବା ଆବଶ୍ୟକ ବୋଲି କହିବା ତାଙ୍କର ବ୍ୟକ୍ତିଗତ ମତ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହା ଉପରେ ବିତର୍କ ଆବଶ୍ୟକ। ଓଡ଼ିଶାର ବୁଦ୍ଧିଜୀବୀମାନେ ଏହା ଉପରେ ଚିନ୍ତା କରିବା ଉଚିତ। ଆଜି କେନ୍ଦ୍ରମନ୍ତ୍ରୀ ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ସହରରେ ୫୦ କୋଟି ଟଙ୍କା ବ୍ୟୟରେ ୪ଟି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ଖାନନଗର ଶ୍ମଶାନରେ ନୂତନ ସିଏନଜି ଶବଦାହ ଗୃହ ଉଦଘାଟନ କରିଛନ୍ତି। ପରେ ପରେ ଶ୍ରୀ ପ୍ରଧାନ ବକ୍ସିବଜାର ଠାରେ ବକ୍ସି ଜଗବନ୍ଧୁଙ୍କଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି, ଓଡ଼ିଆ ବଜାରଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ପରେ ନେତାଜୀ ସ୍ମାରକୀ ପ୍ରତିଷ୍ଠାନକୁ ଉଦଘାଟନ କରିବା ସହ ବୁଲି ଦେଖିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ମେୟର ସୁବାସ ସିଂ, ବିଧାୟକ ସଫିଆ ଫିର୍ଦ୍ଦୋସ୍, ସୌଭିକ୍ ବିଶ୍ଵାଳ, ପ୍ରକାଶ ସେଠୀ, ସାରଦା ପ୍ରଧାନ ଏବଂ ବିଭିନ୍ନ ୱାର୍ଡର କର୍ପୋରେଟର ମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମତକୁ କଡ଼ା ଭାଷାରେ ବିରୋଧ କରିଛନ୍ତି ତିନି ପୂର୍ବତନ ପ୍ରଫେସର ଓ ଛାତ୍ର। ଏହାକୁ ଅବାସ୍ତବ କହି ସମାଲୋଚନା କଲେ ହେମେନ୍ଦ୍ର ନାରାୟଣ ଦାସ। ସେ କହିଛନ୍ତି, ରେଭେନ୍ସା କେବଳ ନାମ ନୁହେଁ, ଇଟ୍‌ ଇଜ୍‌ ୱେ ଅଫ୍‌ ଲାଇଫ୍‌। ଏହା ସହ ଶହେ ବର୍ଷର ଇତିହାସ ଯୋଡ଼ି ହୋଇ ରହିଛି। ହୀନମନ୍ୟତା କହି ସମାଲୋଚନା କଲେ ସତ୍ୟକାମ ମିଶ୍ର। ସେ କହିଛନ୍ତି, ଯେଉଁମାନେ ରେଭେନ୍ସା ସାହେବକୁ ଜାଣି ନାହାନ୍ତି ଏପରି କହିବେ।ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପତି ତାଙ୍କର ଅବଦାନ ଅତୁଳନୀୟ। ଓଡ଼ିଆ ଅସ୍ମିତା ନାଁରେ ତାଙ୍କୁ ଅପମାନିତ କରାଯିବା ଅନୁଚିତ। ସେହିପରି ସରକାର ଏଥିରୁ ନିବୃତ ରହନ୍ତୁ ବୋଲି କହିଛନ୍ତି ପୂର୍ବତନ ଛାତ୍ର କମଳା ପ୍ରସାଦ ମହାପାତ୍ର। ସେ କହିଛନ୍ତି, ରେଭେନ୍ସା କଲେଜ ନିର୍ମାଣ କରିବାରେ ରେଭେନ୍ସାଙ୍କ ଅବଦାନ ଅତୁଳନୀୟ ଥିଲା। ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ଟି.ଇ ରେଭେନ୍ସାଙ୍କ ଅବଦାନର ପଟାନ୍ତର ନାହିଁ। ସରକାର କୌଣସି ପରିସ୍ଥିତିରେ ଏମିତି କରନ୍ତୁନି, ଏଥିରୁ ନିବୃତ ରହନ୍ତୁ।

Breaking News