ରିପୋର୍ଟ କାର୍ଡ / ଭୁବନେଶ୍ବର
ଆର୍ବିଆଇରେ ଟଙ୍କା ବଦଳ ଘଟଣାରେ କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦ଜଣଙ୍କୁ ଧରି ତନାଘନା ଆରମ୍ଭ କରିଛି। ଯେଉଁମାନେ ଆର୍ବିଆଇକୁ ବାରମ୍ବାର ନୋଟ୍ ବଦଳାଇବା ଓ ଆକାଉଣ୍ଟ୍ରେ ନୋଟ୍ ଜମା କରିବା ପାଇଁ ଆସୁଥିଲେ ସେମାନଙ୍କୁ ଇଓଡବ୍ଲ୍ୟୁ ଚିହ୍ନଟ କରିଛି। ତେବେ ଇଓଡବ୍ଲ୍ୟୁ ଆର୍ବିଆଇରୁ ପାଇଥିବା ୪ ଦିନର ସିସିଟିଭି ଫୁଟେଜ୍, ଟଙ୍କା ଜମା ଓ ବଦଳର ତଥ୍ୟ ଆଧାରରେ ଏହି ୩୦ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ସେମାନଙ୍କୁ ଜେରା ପାଇଁ ଇଓଡବ୍ଲ୍ୟୁ ଯୋଜନା କରୁଛି। ସେମାନେ ଏତେ ଟଙ୍କା କେଉଁଠୁ ଆଣିଲେ| ନିଜ ଟଙ୍କା ନାଁ ଅନ୍ୟର ଟଙ୍କା ବଦଳାଇଛନ୍ତି | ଯଦି ନିଜ ଟଙ୍କା, ଟଙ୍କା ବଦଳ ପାଇଁ ପୂର୍ବରୁ ସମୟ ଦିଆଯାଇଥିବା ବେଳେ କେଉଁ ପରିସ୍ଥିତିରେ ଟଙ୍କା ବଦଳାଇ ନଥିଲେ | ଯଦି ନିଜର ନୁହେଁ, ତେବେ କେଉଁକେଉଁ ଲୋକଙ୍କଠାରୁ ଟଙ୍କା ଆଣିଛନ୍ତି| ବଦଳ ପାଇଁ କେତେ କମିସନ ନେଇଛନ୍ତି | ସମସ୍ତ ଦିଗକୁ ନେଇ ଇଓଡବ୍ଲ୍ୟୁ ଜେରା କରିବ। ଯେଉଁ ବ୍ୟକ୍ତିମାନେ ଟଙ୍କା ବଦଳରେ ଅନିୟମିତତା କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଆର୍ବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି କହିଛନ୍ତି ଯେ, ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବ୍ୟାଙ୍କ ଆକାଉଣ୍ଟ୍ରେ ୨ ହଜାର ଟଙ୍କିଆ ନୋଟ୍ ଜମା ବଢ଼ିବାରେ ଲାଗିଛି। ପୂର୍ବରୁ ବ୍ୟାଙ୍କ ଆକାଉଣ୍ଟ୍ରେ ଜମାର ପରିମାଣ ମାତ୍ର ୫% ରହିଥିଲା। ହେଲେ ଏବେ ତାହା ୨୫%ରୁ ୩୦%କୁ ବୃଦ୍ଧିପାଇଛି। ଗୁରୁବାର ୧୪୦ଜଣ ବ୍ୟାଙ୍କ ଆକାଉଣ୍ଟ୍ରେ ଟଙ୍କା ଜମାକରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କେହି ଆର୍ବିଆଇରେ ଟଙ୍କା ଜମା କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ସେମାନେ ପୋଷ୍ଟାଲ ମାଧ୍ୟମରେ ମଧ୍ୟ ୨ ହଜାର ଟଙ୍କିଆ ଜମା କରିପାରିବେ।






More Stories
ଆସନ୍ତାକାଲି ସ୍କୁଲ୍ ଛୁଟି…..
ଜମ୍ମୁ କାଶ୍ମୀରରେ ଭୂକମ୍ପ…..
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..