Report Card Odisha

| Daily Odia News

ରେଡ୍‌ ୱାର୍ଣ୍ଣିଂ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଲଘୁଚାପ ପ୍ରଭାବରେ ରବିବାର ଦିନସାରା ସାରା ରାଜ୍ୟରେ ବର୍ଷା ଲାଗି ରହିଥିଲା। କେଉଁଠି ପ୍ରବଳ ତ’ କେଉଁଠି ଝିପିଝିପି ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସ୍ପଷ୍ଟ ଚିହ୍ନଟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଓ ଉତ୍ତର ଓଡ଼ିଶା ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଆଡକୁ ମୁହଁାଇବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି।ଲଘୁଚାପ ପ୍ରଭାବରେ ରବିବାର ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଉପକୂଳବର୍ତ୍ତୀ ଜିଲାଗୁଡିକ ଅପେକ୍ଷା ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଓବାଲେଶ୍ବର ଜିଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଆସନ୍ତା ୨ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର ରାଜଘାଟରେ ସବୁଠୁ ଅଧିକ ୧୫୬.୨ମି.ମି. ବର୍ଷା ହୋଇଥିବାବେଳେ ମୟୂରଭଞ୍ଜର କୁସୁମୀରେ ୧୩୩ ଏବଂ ସୁନ୍ଦରଗଡ଼ର ଲାଠିକଟାରେ ୧୧୨ମି.ମି. ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବରଗଡ଼ ଜିଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ନୟାଗଡ଼, ଗଞ୍ଜାମ, ଗଜପତି, ପୁରୀ, ଖୋରଧା, କୋରାପୁଟ, କଟକ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର କେତେକ ଅଞ୍ଚଳରେ ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୋମବାର ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ କମିବ। ପଶ୍ଚିମ ଓଡ଼ିଶାର ଜିଲାଗୁଡିକରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଝାଡଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ବୈତରଣୀ, ବ୍ରାହ୍ମଣୀ ଏବଂ ମହାନଦୀ ଅବବାହିକାରେ ବର୍ଷା ଲାଗି ରହିଛି। ବୈତରଣୀ ଏବଂ ବ୍ରାହ୍ମଣୀରେ ବନ୍ୟା ଆସିବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ। ଆସନ୍ତାକାଲି ଯାଏ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Breaking News