Report Card Odisha

| Daily Odia News

ସମ୍ପତ୍ତି ତାଲିକା ନଦେଲେ ପ୍ରମୋଶନ ମନା……

ରିପୋର୍ଟ କାର୍ଡ / ଭୁବନେଶ୍ୱର

୨୦୨୫ ଶେଷ ହେବାକୁ ୨ମାସ ବାକି ରହିଛି। ହେଲେ ଏପର୍ଯ୍ୟନ୍ତ ବାବୁମାନେ ୨୦୨୪ ଲାଗି ସେମାନଙ୍କ ବାର୍ଷିକ ସମ୍ପତ୍ତି ବିବରଣୀ ସରକାରଙ୍କୁ ଦେଉନାହାନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏସଂକ୍ରାନ୍ତରେ ବାରମ୍ବାର ଅବଗତ କରାଗଲେ ମଧ୍ୟ କର୍ମଚାରୀଙ୍କୁ ଚେତନା ଆସୁନାହିଁ। ଏପରି କି ସଂଖ୍ୟାଧିକ କର୍ମଚାରୀ ସେମାନଙ୍କ ପଦୋନ୍ନତି ସହ ଅନ୍ୟାନ୍ୟ ସରକାରୀ ପ୍ରାପ୍ତିକୁ ମଧ୍ୟ ଖାତିର କରୁନାହାନ୍ତି। ନଭେମ୍ବରରୁ କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟା ଆରମ୍ଭ ହେବ। ହେଲେ ସଂଖ୍ୟାଧିକ କର୍ମଚାରୀ ସମ୍ପତ୍ତି ତାଲିକା ଦେଇ ନ ଥିବାରୁ ଏକ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି। ସରକାରଙ୍କ ନିର୍ଦ୍ଦେଶନାମାକୁ ବିଭିନ୍ନ ସମୟରେ ବିଭାଗୀୟ ମୁଖ୍ୟମାନେ ଠିକଣା ଭାବେ କାର୍ଯ୍ୟକାରୀ କରୁ ନ ଥିବା ନଜିର ରହିଥିବାବେଳେ ସମ୍ପ୍ରତି ବାର୍ଷିକ ସମ୍ପତ୍ତି ତାଲିକାକୁ କର୍ମଚାରୀମାନଙ୍କ ଅବମାନନାକୁ ନେଇ ଲୋକସେବା ଭବନରେ ଚର୍ଚ୍ଚା ଜୋର୍‌ ଧରିଛି।ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ସୁରେନ୍ଦ୍ର କୁମାର ଚଳିତମାସ ୨୩ରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। କର୍ମଚାରୀମାନେ ଯେପରି ସମୟ ଭିତରେ ସମ୍ପତ୍ତି ତାଲିକା ପ୍ରଦାନ କରିବେ ସେନେଇ ବିଭାଗୀୟ ମୁଖ୍ୟମାନେ ଗୁରୁତ୍ୱ ଦେବାକୁ ସେ ଅନୁରୋଧ କରିଛନ୍ତି। ସୁରେନ୍ଦ୍ର କୁମାର ଦର୍ଶାଇଛନ୍ତି, ରାଜ୍ୟ ସରକାରଙ୍କ ମାନବସମ୍ବଳ ପରିଚାଳନା ପଦ୍ଧତି(ଏଚ୍‌ଆର୍‌ଏମ୍‌ଏସ୍‌) ପୋର୍ଟାଲରେ ପ୍ରତିବର୍ଷ ସରକାରୀ କର୍ମଚାରୀମାନେ ତାଙ୍କର ବାର୍ଷିକ ସମ୍ପତ୍ତି ତାଲିକା ଅପ୍‌ଲୋଡ୍‌ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ହେଲେ ଏହାକୁ ବହୁ କର୍ମଚାରୀ ମାନୁନାହାନ୍ତି। ଫଳରେ କର୍ମଚାରୀଙ୍କ ପଦୋନ୍ନତି ଓ ଅନ୍ୟାନ୍ୟ ସରକାରୀ ପଦକ୍ଷେପ ବେଳେ ସମସ୍ୟା ସୃଷ୍ଟି ହେଉଛି। ଏହି ପରିପ୍ରେକ୍ଷୀରେ ୨୦୨୪ ବର୍ଷ ପାଇଁ ଆଉ ଅବଧି ବୃଦ୍ଧି କରାଯିବ ନାହିଁ କି ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲ ଖୋଲାଯିବ ନାହିଁ। ସେ କହିଛନ୍ତି, ବାର୍ଷିକ ସମ୍ପତ୍ତି ବିବରଣୀ ଦେବା କର୍ମଚାରୀମାନଙ୍କ ପାଇଁ ବାଧ୍ୟତାମୂଳକ। ଏହାକୁ ଜାଣି ମଧ୍ୟ ଯେଉଁ କର୍ମଚାରୀମାନେ ସମ୍ପତ୍ତି ବିବରଣୀ ପ୍ରଦାନ କରିନାହାନ୍ତି, ସେମାନଙ୍କୁ ପଦୋନ୍ନତି ଦିଆଯିବ ନାହିଁ। ବିଭାଗୀୟ ମୁଖ୍ୟମାନେ ଡିପାର୍ଟମେଣ୍ଟାଲ ପ୍ରମୋଶନ କମିଟି(ଡିପିସି) ବୈଠକ କଲାବେଳେ ସମ୍ପୃକ୍ତ କର୍ମଚାରୀଙ୍କୁ ପଦୋନ୍ନତି ଲାଗି ବିବେଚନା କରିବେନାହିଁ ବୋଲି ସୁରେନ୍ଦ୍ର କୁମାର ଦର୍ଶାଇଛନ୍ତି।ସୁରେନ୍ଦ୍ର କୁମାର ପୁନର୍ବାର ଅବଗତ କରାଇଛନ୍ତି, ୨୦୨୫ ବର୍ଷ ପାଇଁ ୩୧ ଜାନୁଆରୀ-୨୦୨୬ ସୁଦ୍ଧା ସମସ୍ତ କର୍ମଚାରୀ ଯେପରି ସମ୍ପତ୍ତି ତାଲିକା ପ୍ରଦାନ କରିବେ ସେଦିଗରେ ପଦକ୍ଷେପ ନେବାକୁ ହେବ। ଏହି ଅବଧିକୁ ସରକାର ଏଥର କଡାକଡ଼ି ଭାବେ ପାଳନ କରିବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ ମୁଖ୍ୟମାନେ କର୍ମଚାରୀଙ୍କ ବାର୍ଷିକ ସମ୍ପତ୍ତି ବିବରଣୀ ଯେପରି ୧୦୦% ମିଳିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ସେ ଦର୍ଶାଇଛନ୍ତି

Breaking News