Report Card Odisha

| Daily Odia News

ଦ୍ରୌପଦୀ ମୁର୍ମୁଙ୍କୁ ହଟାଇ ନିଜକୁ ରାଷ୍ଟ୍ରପତି ନିଯୁକ୍ତି ଆବେଦନ !…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ହଟାଇ ତାଙ୍କୁ ରାଷ୍ଟ୍ରପତି ଭାବେ ନିଯୁକ୍ତ କରିବା ପାଇଁ ନିଜକୁ ପରିବେଶବିତ୍‌ ବୋଲି ଦାବି କରୁଥିବା କିଶୋର ଜଗନ୍ନାଥ ସାୱନ୍ତଙ୍କ ଦ୍ବାରା ଦାଖଲ କରାଯାଇଥିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ଜଷ୍ଟିସ ‌ହିମା କୋହଲୀଙ୍କ ଖଣ୍ଡପୀଠ ଏଭଳି ଏକ ପିଟିସନକୁ ଘୃଣିତ, ଅପମାନଜନକ ଏବଂ ନ୍ୟାୟିକ ପ୍ରକ୍ରିୟାର ଦୁରୁପଯୋଗ ବୋଲି କହିବା ସହିତ ପିଟିସନ ଉପରେ କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି। ଖଣ୍ଡପୀଠ ଆବେଦନକାରୀଙ୍କୁ ଭର୍ତ୍ସନା କରିବା ସହିତ ପ୍ରଶ୍ନ କରିଥିଲେ ଯେ ଏଭଳି ପିଟିସନ କିଭଳି ଦାଖଲ କରାଗଲା। ଏହା ସହିତ ଖଣ୍ଡପୀଠ ଭବିଷ୍ୟତରେ ଏଭଳି ପିଟିସନ ଉପରେ ବିଚାର ନ କରିବା ପାଇଁ ମଧ୍ୟ ଅଦାଲତଙ୍କ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ପିଟିସନ୍‌ରେ ଉଲ୍ଲେଖ କରିଥିଲେ ଯେ ନିକଟରେ ‌ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ପ୍ରତିଦ୍ବନ୍ଦିତା କରିବା ପାଇଁ ଅନୁମତି ଦିଆଯାଇ ନଥିଲା। ବିଗତ ତିନିଟି ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ନାମାଙ୍କନପତ୍ର ଦାଖଲ କରିବାକୁ ଅନୁମତି ମିଳି ନାହିଁ। ଜଣେ ଭାରତୀୟ ନାଗରିକ ଭାବେ ଅନ୍ତତଃ ନାମାଙ୍କନପତ୍ର ଦାଖଲ କରିବାର ଅଧିକାର ତାଙ୍କର ରହିଛି। ତାଙ୍କ କଥା ଖଣ୍ଡପୀଠ ଶୁଣିବେ ଏବଂ ସେ ବିଶ୍ବର ମଙ୍ଗଳ ପାଇଁ କାର୍ଯ୍ୟ କରିବେ ବୋଲି ପିଟିସନ୍‌ରେ ଜୋର ଦେଇ କହିଥିଲେ। ତାଙ୍କ କଥା କେବଳ ଦୁଇ ମିନିଟ୍‌ ଶୁଣିବା ପାଇଁ ‌ସେ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ସରକାର ନାଗରିକମାନଙ୍କ ନିକଟରେ ଉତ୍ତରଦାୟୀ ବୋଲି ଶ୍ରୀଲଙ୍କାର ଉଦାହରଣ ଦେଇ ସେ କହିଥିଲେ ଯେ ନିକଟରେ ସେଠାକାର ନାଗରିକମାନେ ରାଷ୍ଟ୍ରପତିଙ୍କ ବାସଭବନରେ ପ୍ରବେଶ କରିଥିଲେ। ରୁଷରେ କ’ଣ ହେଉଛି ତାହା ସେ ଅବତାରଣ କରିଥିଲେ। ରାଷ୍ଟ୍ରପତିଙ୍କ ଭୂମିକାକୁ ପୁନର୍ବାର ପରିଭାଷିତ କରିବାର ଆବଶ୍ୟକତା ଅଛି ବୋଲି ସେ କହିଥିଲେ। ସେ ଜଣେ ପରିବେଶବିତ୍‌ ଭାବେ ଗତ ୨୦ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି ହେଲେ ସରକାରୀ ଅଧିକାରୀଙ୍କ ଠାରୁ କୌଣସି ସାହାଯ୍ୟ ପାଇନାହାନ୍ତି। ଜଣେ ଭାରତୀୟ ନାଗରିକ ଭାବେ ସରକାରଙ୍କ ନୀତି ଉପରେ ତାଙ୍କର ପ୍ରଶ୍ନ କରିବାର ପୂର୍ଣ୍ଣ ଅଧିକାର ଅଛି ବୋଲି କିଶୋର ଜଗନ୍ନାଥ ସାୱନ୍ତ ପିଟିସନ୍‌ରେ ଉଲ୍ଲେଖ କରିଥିଲେ। ଏହା ଉପରେ ଖଣ୍ଡପୀଠ କଠୋର ଆଭିମୁଖ୍ୟ ‌ପୋଷଣ କରି କହିଥିଲେ ଯେ କେଉଁ ପ୍ରକାରର ଘୃଣିତ ଅଭିଯୋଗ ଆପଣ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଥିବା ତଥା ଭାରତର ରାଷ୍ଟ୍ରପତିଙ୍କ ବି‌ରୋଧରେ କରୁଛନ୍ତି। ଘୃଣିତ ପିଟିସନ ଦାଖଲ କରିବାର କୌଣସି ଅଧିକାର ଆପଣଙ୍କର ନାହିଁ। ଯଦି ଆପଣ ପରିବେଶବିତ୍‌, ତାହାହେଲେ ଆପଣ ଆପଣଙ୍କର ବିଶେଷ ଜ୍ଞାନ ସହିତ ବାହାରେ ଠିଆ ହୋଇ ରାସ୍ତା ଉପରେ ଭାଷଣ ଦେଇପାରିବେ, କୋର୍ଟରେ ନୁହେଁ। ଏହା ପରେ ଖଣ୍ଡପୀଠ ପିଟିସନ୍‌କୁ ଖାରଜ କରିଦେଇଥିଲେ। ଖଣ୍ଡପୀଠ ଆଦେଶରେ ପିଟିସନକୁ ତୁଚ୍ଛ କହିବା ସହିତ ଏହା ଅଦାଲତ ପ୍ରକ୍ରିୟାର ଦୁରୁପଯୋଗ। ଲଗାଯାଇଥିବା ଆରୋପଗୁଡ଼ିକୁ ରେକର୍ଡରୁ ହଟାଇ ଦିଆଯାଉଛି ଏବଂ ରେଜିଷ୍ଟ୍ରିଙ୍କୁ ଅନୁରୋଧ କରାଯାଉଛି କି ନିକଟ ଭବିଷ୍ୟତରେ ଯଦି ଏହି ପ୍ରସଙ୍ଗରେ ଆବେଦନକାରୀଙ୍କ ଦ୍ବାରା ପୁନର୍ବାର ପିଟିସନ ଦାଖଲ କରାଯାଏ ତାହା ଉପରେ ବିଚାର କରିବେ ନାହିଁ।

Breaking News