ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଥିଲେ ଯେ, ଅନୁମତି ନେଇ ରାଜ୍ୟର ଧାର୍ମିକ ସ୍ଥାନରେ ଲାଉଡସ୍ପିକର ବ୍ୟବହାର କରାଯାଇପାରିବ। କିନ୍ତୁ ସଂପୃକ୍ତ ପରିସର ବାହାରକୁ ଶବ୍ଦ ଆସିପାରିବ ନାହିଁ। ଏହି ଘୋଷଣା ପରେ ବର୍ତ୍ତମାନ ରାଜ୍ୟର ୧୭,୦୦୦ ଧାର୍ମିକ ସ୍ଥାନରେ ଲାଉଡସ୍ପିକରର ଶବ୍ଦକୁ କମ କରାଯାଇଛି। ଯେଉଁମାନେ ଧାର୍ମିକ ସ୍ଥାନଗୁଡ଼ିକର ଦାୟିତ୍ୱରେ ଅଛନ୍ତି ସେମାନେ ନିଜେ ଏହି ପଦକ୍ଷେପ ନେଇଛନ୍ତି। ଅନ୍ୟପକ୍ଷରେ ୟୁପିର ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମିରେ ଲାଗିଥିବା ଲାଉଡସ୍ପିକରକୁ ହଟାଇ ଦିଆଯାଇଛି। ଏହାପୂର୍ବରୁ ପ୍ରତିଦିନ ସକାଳେ ଏହି ମନ୍ଦିରରେ ଦେଢ଼ ଘଣ୍ଟା ଧରି ଧାର୍ମିକ ଗୀତ ବଜାଯାଉଥିଲା, କିନ୍ତୁ ଏହାକୁ ଏବେ ବନ୍ଦ କରିଦିଆଯାଇଛି। ଏହା ସହ ଗୋରଖନାଥ ମନ୍ଦିରରେ ଲାଉଡସ୍ପିକରର ଶବ୍ଦକୁ କମ କରିଦିଆଯାଇଛି। ତେବେ ଲାଉଡସ୍ପିକର ନେଇ ନିୟମ ତିଆରି କରିବା ସହ ରାଜ୍ୟରେ ବିଭିନ୍ନ ଧାର୍ମିକ ଶୋଭାଯାତ୍ରା ପାଇଁ ମଧ୍ୟ ନିୟମ ତିଆରି କରିଛନ୍ତି ଯୋଗୀ ଆଦିତ୍ୟନାଥ। ଉତ୍ତରପ୍ରଦେଶରେ ବିନା ଅନୁମତିରେ କୌଣସି ଶୋଭାଯାତ୍ରା ଏବଂ ଧାର୍ମିକ ଯାତ୍ରା ହୋଇପାରିବ ନାହିଁ। ନୂଆ ନିର୍ଦ୍ଦେଶ ମୁତାବକ କୌଣସି ଶୋଭାଯାତ୍ରା ପାଇଁ ବର୍ତ୍ତମାନ ଆୟୋଜକମାନଙ୍କୁ ପ୍ରଥମେ ଅନୁମତି ନେବାକୁ ପଡିବ। ଏହା ସହିତ ଆୟୋଜକମାନଙ୍କୁ ଶୋଭାଯାତ୍ରା ସମୟରେ ଶାନ୍ତି ଏବଂ ସୌହାର୍ଦ୍ୟ ରକ୍ଷା କରିବା ପାଇଁ ଏକ ଆଫିଡେଭିଟ୍ ଦେବାକୁ ପଡିବ। ଏହି ନିର୍ଦ୍ଦେଶ ଜାରି ସହ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ସବୁ ଶୋଭାଯାତ୍ରା ବହୁ ବର୍ଷ ଧରି ହୋଇଆସୁଛି ଓ ପରମ୍ପରା ସହ ଜଡିତ ଅଛି, ସେସବୁ ଧାର୍ମିକ ଶୋଭାଯାତ୍ରାକୁ ଅନୁମତି ଦିଆଯିବା ଉଚିତ। ଯଦି କିଛି ନୂତନ ଶୋଭାଯାତ୍ରା ହେବାର ଅଛି ଅନାବଶ୍ୟକ ଭାବରେ ଅନୁମତି ଦିଆଯିବା ଉଚିତ୍ ନୁହେଁ | ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..