ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭାରତୀୟ ରେଳପଥର ଅମୃତ ଷ୍ଟେଶନ ଯୋଜନାରେ ଉତ୍ତର ଓଡ଼ିଶାର ବିଭିନ୍ନ ରେଳ ଷ୍ଟେଶନର ପୁନର୍ବିକାଶ ବା ନବୀକରଣ କରାଯାଉଛି। ଏଥିମଧ୍ୟରେ କେନ୍ଦୁଝରଗଡ଼, ବଡ଼ବିଲ, ଜାରୋଲି, ବାରିପଦା, ରାଇରଙ୍ଗପୁର, ବେତନଟି ଏବଂ ବାଦାମପାହାଡ ଷ୍ଟେଶନ ରହିଛି। ଭିତ୍ତିଭୂମିର ଉନ୍ନତି, ସୁବିଧାସୁଯୋଗର ଆଧୁନିକୀକରଣ, ଯାତ୍ରୀଙ୍କ ପାଇଁ ଆରାମଦାୟକ ସେବା ଏବଂ ବାଣିଜି୍ୟକ ଅଭିବୃଦ୍ଧି ପାଇଁ ରେଳ ସଂଯୋଗ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିସହ ଷ୍ଟେଶନଗୁଡ଼ିକରେ ଡିଜାଇନ, ପ୍ରଯୁକ୍ତିବିଦ୍ୟା ଏବଂ ଯାତ୍ରୀ ସେବାରେ ଯଥେଷ୍ଟ ଉନ୍ନତି ଘଟିବ ବୋଲି ଆଶା କରାଯାଉଛି। ଆଧୁନିକ ପ୍ଲାଟଫର୍ମ, ଉନ୍ନତ ଟିକେଟିଂ ସୁବିଧା, ପ୍ରତୀକ୍ଷା କ୍ଷେତ୍ର ଏବଂ ଉନ୍ନତ ପରିଷ୍କାର ପରିଚ୍ଛନ୍ନତାକୁ ସୁନିଶ୍ଚିତ କରାଯିବ। ୧୦.୧୬ କୋଟି ବ୍ୟୟବରାଦରେ କେନ୍ଦୁଝରଗଡ଼ ଷ୍ଟେଶନର ଗୁରୁତ୍ୱପୂର୍ଣ୍ଣ ଉନ୍ନତୀକରଣ କାର୍ଯ୍ୟ ଚାଲୁରହିଛି। ଆଧୁନିକ ସୁବିଧାଯୁକ୍ତ ଏକ ନୂଆ ଷ୍ଟେଶନ ଭବନ ନିର୍ମାଣ ସହିତ ସମ୍ମୁଖ ଭାଗର ଉନ୍ନତୀକରଣ କରାଯାଉଛି। ଏହାସହିତ ପ୍ଲାଟ୍ଫର୍ମ ପୃଷ୍ଠ ଉନ୍ନତୀକରଣ ସହ ଏଲ୍ଇଡି ସାଇନେଜ, କୋଚ୍ ଏବଂ ଟ୍ରେନ୍ ଇଣ୍ଡିକେଶନ ବୋର୍ଡ ସ୍ଥାପନ ଓ ୧୨ ମିଟର ଚଉଡ଼ାର ଫୁଟ ଓଭର ବ୍ରିଜ ନିର୍ମାଣ କରାଯାଉଛି। ଷ୍ଟେଶନରେ ଅତିରିକ୍ତ ୨୦ଟି ପ୍ଲାଟଫର୍ମ ଆଶ୍ରୟସ୍ଥଳ ମଧ୍ୟ ରହିବ। ସେହିପରି ୧୭.୭କୋଟି ଟଙ୍କାର ଅନୁମୋଦିତ ବଜେଟ ସହିତ ବଡ଼ବିଲ ରେଳ ଷ୍ଟେଶନରେ ପ୍ରମୁଖ ଉନ୍ନତୀକରଣ କାର୍ଯ୍ୟ ଚାଲିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୧% ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ କେବଳ ଗୁଡସ୍ ଶେଡ୍ର ଉନ୍ନତି ପାଇଁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ଅନ୍ୟପକ୍ଷରେ ୮.୬ କୋଟି ଅନୁମୋଦିତ ବଜେଟ ସହିତ ଜାରୋଲି ରେଳ ଷ୍ଟେଶନର ଉନ୍ନତିକରଣ କାର୍ଯ୍ୟ ପ୍ରାୟ ୨୪% ଶେଷ ହୋଇଛି। ବାରିପଦା ରେଳ ଷ୍ଟେଶନର ଉନ୍ନତୀକରଣ ପାଇଁ ୧୫.୩୫୪ କୋଟି ଟଙ୍କା ଅନୁମୋଦିତ ବଜେଟ ରହିଥିବାବେଳେ ପ୍ରାୟ ୮୦% ନିର୍ମାଣ ସରିଛି। ସେହିପରି ରାଇରଙ୍ଗପୁର ରେଳ ଷ୍ଟେଶନର ଉନ୍ନତୀକରଣ ପାଇଁ ୭.୪ କୋଟି ବ୍ୟୟବରାଦ ରହିଥିବାବେଳେ ୩୨% କାମ ସରିଛି। ବେତନଟି ରେଳ ଷ୍ଟେଶନ ପାଇଁ ୧୪୪.୧୪୬ କୋଟି ଟଙ୍କାରେ ନବୀକରଣ କରାଯାଉଛି। ୨୦୨୫ ଜୁଲାଇ ସୁଦ୍ଧା କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦% କାମ ସମାପ୍ତ ହୋଇଛି। ବାଦାମପାହାଡ଼ ରେଳ ଷ୍ଟେଶନ ପାଇଁ ୧୨.୨୨ କୋଟି ଟଙ୍କାର ଅନୁମୋଦିତ ବଜେଟ ସହିତ ଗୁରୁତ୍ୱପୂର୍ଣ୍ଣ ଉନ୍ନତୀକରଣ କାର୍ଯ୍ୟ ଚାଲୁରହିଛି। ଇତିମଧ୍ୟରେ ପ୍ରାୟ ୩୪% କାମ ସରିଛି। ଉନ୍ନତ ଯାତ୍ରା ସୁବିଧା ସହ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବାରେ ଏହି ନବୀକରଣ ବେଶ୍ ସହାୟକ ହେବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……