ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆରବିଆଇ କାର୍ଯ୍ୟାଳୟ ସମେତ ଏଚଡିଏଫସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କରେ ବୋମା ଖଞ୍ଜାଯାଇଥିବା ନେଇ ଇମେଲ୍ ଜରିଆରେ ଧମକ ମିଳିଛି। ଏନେଇ ମୁମ୍ବଇ ପୋଲିସ ସୂଚନା ଦେଇଛି । ଇମେଲରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଛି। ପୋଲିସ କହିବା ମୁତାବକ, ମୁମ୍ବଇରେ ମୋଟ୍ ୧୧ଟି ସ୍ଥାନରେ ବୋମା ଖଞ୍ଜାଯାଇଥିବା ନେଇ ଧମକ ମିଳିଥିଲା। ପୋଲିସ ଏହି ସବୁ ସ୍ଥାନକୁ ଯାଇ ଅନୁସନ୍ଧାନ କରିଥିଲା କିନ୍ତୁ କିଛି ମିଳି ନଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି। ଏହି ଧମକପୂର୍ଣ୍ଣ ଇମେଲ୍ ପ୍ରେରକ ଖିଲାଫତ୍ ଇଣ୍ଡିଆ ସହ ଜଡ଼ିତ ଥିବା ଦାବି କରିଛି। ମୁମ୍ବଇ ପୋଲିସ କୁ ମିଳିଥିବା ଧମକପୂର୍ଣ୍ଣ ଇମେଲରେ କୁହାଯାଇଛି ଯେ, ମୁମ୍ବଇ ସହରର ୧୧ଟି ସ୍ଥାନରେ ବୋମା ଲଗାଯାଇଛି। ମଙ୍ଗଳବାର ଦିନ ପ୍ରାୟ ୧.୩୦ ସମୟରେ ଏହି ବିସ୍ଫୋରଣ ଘଟିବ। ଏହାପରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ଏବଂ ତୁରନ୍ତ ପୋଲିସ ସବୁଆଡେ ତନାଘନା କରିଥିଲା କିନ୍ତୁ କୌଣସି ସନ୍ଦେହଜନକ ସାମଗ୍ରୀ ମିଳି ନଥିଲା।
Discussion about this post