ରିପୋର୍ଟ କାର୍ଡ / ଭୁବନେଶ୍ୱର
୪୫ ବର୍ଷର ପୁରୁଣା ରାଜସ୍ବ ଆଇନରେ ସରକାର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଓଡ଼ିଶା ଜମି ଜବରଦଖଲ ନିବାରଣ ଆଇନ (ଓଡ଼ିଶା ପ୍ରିଭେନସନ୍ ଅଫ୍ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ ଆକ୍ଟ) ଏବଂ ଓଡ଼ିଶା ଭୂ-ବନ୍ଦୋବସ୍ତ ଆଇନ (ଓଡ଼ିଶା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ) ଭଳି ଦୁଇଟି ପୁରୁଣା ଆଇନକୁ ମିଶାଇ ଓଡ଼ିଶା ଭୂମି ପରିଚାଳନା ଆଇନ (ଓଡ଼ିଶା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ) ନାମରେ ଗୋଟିଏ ଆଇନ ଆସିବ। ଏଥିପାଇଁ ପ୍ରସ୍ତୁତ ଚିଠା ବିଧେୟକ ଉପରେ ସୋମବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଏହି ଚିଠା ବିଧେୟକକୁ ଅନୁମୋଦନ ପାଇଁ ବିଭାଗକୁ ପଠାଯିବ। ଅନୁମୋଦନ ପରେ ଏହାକୁ ଗୋଟିଏ ମାସ ପାଇଁ ୱେବସାଇଟରେ ରଖାଯାଇ ଏହା ଉପରେ ବିଭିନ୍ନ ବର୍ଗରୁ ମତାମତ ନିଆଯିବ। ସବୁ ମତାମତକୁ ତର୍ଜମା ପରେ ଏହାକୁ ଅନୁମୋଦନ ପାଇଁ ଆଇନ ବିଭାଗକୁ ପଠାଯିବ। ଆଇନ ବିଭାଗର ଅନୁମୋଦନ ମିଳିବା ପରେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାଧ୍ୟମରେ କ୍ୟାବିନେଟ୍କୁ ପଠାଯିବ। କ୍ୟାବିନେଟ ଅନୁମୋଦନ ପରେ ଏହାକୁ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପନ କରାଯିବ। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ସମସ୍ତଙ୍କ ସହଯୋଗରେ ବିଭାଗ କିଭଳି ଲୋକଙ୍କ ସେବାରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ ହୋଇପାରିବ ସେ ଦିଗରେ ବିଭାଗ କାମ କରୁଛି। େସ କହିଛନ୍ତି, ରାଜସ୍ବ ଅଧିକାରୀମାନଙ୍କ ପ୍ରଦର୍ଶନକୁ ନିୟମିତ ଭାବେ ଅନୁଧ୍ୟାନ କରାଯାଉଛି। ପ୍ରତିଦିନ ରାଜସ୍ବ ଅଧିକାରୀମାନେ ଯେଉଁ କାମ କରୁଛନ୍ତି ତା’ର ରିପୋର୍ଟ ଜିଲାପାଳଙ୍କ ମାଧ୍ୟମରେ ସଂଗ୍ରହ କରି ସମୀକ୍ଷା କରାଯାଉଛି। ଗୋଟିଏ ଦିନରେ ନିର୍ଦିଷ୍ଟ ସମୟ ଭିତରେ କେତେ କାମ କରିବେ ତାହାର ମାର୍ଗଦର୍ଶିକା ଜାରି କରାଯାଇଛି। ଦାୟିତ୍ବ ସମ୍ପାଦନରେ ଅବହେଳା ହେଲେ ଆବଶ୍ୟକ ଦଣ୍ଡବିଧାନ କରାଯିବ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..