ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶ୍ରୀଲଙ୍କାର ରାଷ୍ଟ୍ରପତି ପଦରୁ ଗୋଟବାୟା ରାଜପକ୍ଷ ଇସ୍ତଫା ଦେଇଛନ୍ତି | ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ପ୍ରଥମେ ମାଳଦ୍ୱୀପ ଓ ସେଠାରୁ ସିଙ୍ଗାପୁର ଯିବା ପରେ ଗୋଟବାୟା ଇସ୍ତଫା ଦେଇଥିବା ସୂଚନା ମିଳିଛି । ଆଜି ବାଚସ୍ପତି ମହିନ୍ଦା ୟାପା ଆବେବର୍ଦ୍ଦନା ଔପଚାରିକ ଭାବେ ଘୋଷଣା କରିଛନ୍ତି। ସେ ନିଜର ଇସ୍ତଫାପତ୍ରକୁ ଇ-ମେଲ ଯୋଗେ ଶ୍ରୀଲଙ୍କା ସଂସଦର ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫା ଦେବା କଥା ଘୋଷଣା କରିବା ପରେ ସେ କହିଛନ୍ତି ଯେ, ଶନିବାର ଦିନ ପାର୍ଲାମେଣ୍ଟ୍ ଅଧିବେଶନ ବସିବ।ଶାନ୍ତି ବଜାୟ ରଖିବା ଲାଗି ଜନସାଧାଣଙ୍କୁ ଅନୁରୋଧ କରି ଶ୍ରୀଲଙ୍କାର ବାଚସ୍ପତି କହିଛନ୍ତି, ସମସ୍ତ ସାଂସଦଙ୍କୁ ଶାନ୍ତିପୂର୍ଣ୍ଣ ବାତାବରଣରେ ଛାଡ଼ନ୍ତୁ। ଫଳରେ ଆଗାମୀ ୭ ଦିନ ମଧ୍ୟରେ ହେବାକୁ ଥିବା ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାରେ ସେମାନେ ଅଂଶଗ୍ରହଣ କରିପାରିବେ। ଅର୍ଥାତ୍ ଜୁଲାଇ ୨୨ ତାରିଖ ଦିନ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ କରାଯିବ। କିଛି ଦିନ ପୂର୍ବରୁ ଆନ୍ଦୋଳନକାରୀମାନେ ତାଙ୍କ ଇସ୍ତଫା ଦାବି କରି ରାଷ୍ଟ୍ରପତି ଭବନରେ ଧସେଇ ପଶିଥିଲେ। ଏବେ ସେ ଇସ୍ତଫା ଦେଇଥିବାରୁ ବାଚସ୍ପତି ଆସନ୍ତା ୩ ଦିନ ମଧ୍ୟରେ ସଂସଦର ସ୍ୱତନ୍ତ୍ର ଅଧିବେଶ ଡାକି ଦେଶର ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବେ ବୋଲି ଜଣାପଡ଼ିଛି। ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲାଙ୍କାରେ ଜାରି ରହିଥିବା ବିଶାଳ ଆନ୍ଦୋଳନକୁ ଦେଖି ରାଜପକ୍ଷ ଦେଶ ଛାଡ଼ି ଫେରାର ହୋଇଯାଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ରାନୀଲ ବିକ୍ରମସିଂଘେ ଶ୍ରୀଲଙ୍କାଳର କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିଲେ। ସେ ଦାୟିତ୍ୱ ନେବା କ୍ଷଣି ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିଥିଲେ। ଏଥିସହ ପୁଲିସ ଓ ସେନାକୁ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ କହିଥିଲେ। ତଥାପି ଦେଶରେ ଆନ୍ଦୋଳନ ଜାରି ରହିଛି। ସେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ବେଳେ ବିରୋଧୀ ତାଙ୍କୁ ପଦ ଛାଡ଼ିବାକୁ ବାଧ୍ୟ କରିଛନ୍ତି। ଏବେ ରାଜପକ୍ଷ ଇସ୍ତଫା ଦେଇଥିବାରୁ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ସୃଷ୍ଟି ହୋଇଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..