Report Card Odisha

| Daily Odia News

ଆଜି ଗୁଣ୍ଡିଚା ମନ୍ଦିରରେ ଶେଷଦର୍ଶନ…..

ରିପୋର୍ଟ କାର୍ଡ / ପୁରୀ 

ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଚଳିତବର୍ଷ ମହାପ୍ରଭୁଙ୍କ ଶେଷଦର୍ଶନ। ନବମୀ ସନ୍ଧ୍ୟାଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ତାହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଏହାପରେ ଦର୍ଶନ ବନ୍ଦ କରାଯାଇ ପରଦିନ ବାହୁଡାଯାତ୍ରା ପାଇଁ ମହାପ୍ରଭୁଙ୍କୁ ପ୍ରସ୍ତୁତ କରାଯିବ। ତେଣୁ ଅପରାହ୍ଣ ୪ଟା ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି। ଆଷାଢ ଶୁକ୍ଳ ନବମୀ ତିଥିରେ ଆଡ଼ପ ମଣ୍ଡପରେ ଦାରୁବ୍ରହ୍ମଙ୍କୁ ଦର୍ଶନ କଲେ ମହାପୂଣ୍ୟ ମିଳିବା ସହ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି। ଏହି ତିଥିରେ ବହୁ ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ମୋକ୍ଷପାଇଁ ବ୍ରାହ୍ମଣଙ୍କୁ ଆଡ଼ପ ଅବଢା ଭୋଜନ କରିଥାଆନ୍ତି। ସୂଚନା ଅନୁଯାୟୀ ଶୁକ୍ରବାଅନ୍ନଦାନର ପ୍ରାତଃ ୫ଟାରେ ମନ୍ଦିର ଦ୍ବାର ଫିଟାଯିବ। ଏହାପରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ ସମେତ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ମନ୍ଦିରଦ୍ବାର ଖୋଲାଯିବାଠାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଦାରୁବ୍ରହ୍ମଙ୍କୁ ଦର୍ଶନ କରିପାରିବେ। ଅପରାହ୍ଣ ୪ଟାରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯିବ। ଠାକୁରଙ୍କୁ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ଓ ଦ୍ବିତୀୟ ଭୋଗମଣ୍ଡପ କରାଯିବ। ରାତିରେ ରାହାସ ମଣ୍ଡପକୁ ଦିଅଁ ବିଜେ କରିବେ। ଚନ୍ଦନଲାଗି କରାଯିବା ସହ ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ, ପହୁଡ ଆଳତି କରାଯିବ। ଦଇତାପତି ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଶ୍ରୀମୁଖ ଖଣ୍ଡୁଆ ଏବଂ ବାହୁଟକଣ୍ଟ ଲାଗି କରିବେ। ଆଡ଼ପ ମଣ୍ଡପରେ ଚାରମାଳ ବନ୍ଧାଯିବ। ବିଳମ୍ବିତ ରାତିରେ କୁସୁମିଲାଗି ନୀତି ଅନୁଷ୍ଠିତ ହେବ। ଶନିବାର ଦଶମୀ ତିଥିରେ ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡାଯାତ୍ରା କରିବେ। ବାହୁଡାଯାତ୍ରା ନୀତିକାନ୍ତି ଗୁଡିକୁ ସଅଳ କରିବା ପାଇଁ ଶୁକ୍ରବାର ଶୀଘ୍ର ସନ୍ଧ୍ୟାଦର୍ଶନ ବନ୍ଦ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ଏବଂ ଦଇତାପତିଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏଥିପାଇଁ ସ୍ଥିର କରାଯାଇଛି।

Breaking News