Report Card Odisha

| Daily Odia News

ପେଟ୍ରୋଲ, ଖାଇବା ତେଲ ମହଙ୍ଗା ହେବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷିଆ-ୟୁକ୍ରେନ ଉପରେ ଆକ୍ରମଣ କରିଛି | ଯୋଦ୍ଧ ଆଜିକୁ ୭ ଦିନରେ ପହଂଚହିଛି | ସ୍ଥିତି ଭୟଙ୍କର ରହିଛି | ଏହାର ପ୍ରଭାବ ଭାରତକୁ ପ୍ରଭାବିତ କରିବ କି ନାହିଁ ତାହାକୁ ନେଇ ଚର୍ଚ୍ଚା ହେଉଛି | ଯୁଦ୍ଧ ପ୍ରଭାବରେ ଭାରତର ଷ୍ଟକ ବଜାର କାରବାର ଅସ୍ଥିର ରହିବ | ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଇବ ଏବଂ ଅଶୋଧିତ ତୈଳ ଦାମ୍‌ରେ ହେବାକୁ ଥିବା ବୃଦ୍ଧି ଯୋଗୁଁ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ ବଢ଼ିବ। ଏଗୁଡ଼ିକୁ ହେଉଛି ସାମୟିକ ପ୍ରଭାବ। ଏବେ ଯୁଦ୍ଧର ପ୍ରଭାବ ଗାଡ଼ିଠାରୁ ଆରମ୍ଭ କରି ରୋଷେଇ ଘର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଅନୁଭୂତ ହେଉଛି। କିନ୍ତୁ ଭାରତ ବିଶେଷ ପ୍ରଭାବିତ ହେବ ନାହିଁ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସାରା ବିଶ୍ବର ଅର୍ଥନୀତି ଯେଉଁଭଳି ଭାବେ ପ୍ରଭାବିତ ହେବ ଭାରତ ମଧ୍ୟ ସମାନ ଧରଣର କ୍ଷତି ସହିବ। କିନ୍ତୁ, ଭାରତ ପାଇଁ କେତେକ ସାମଗ୍ରୀର ରପ୍ତାନି ବଢ଼ାଇବାର ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି। ବିଶେଷ କରି ଗହମ ରପ୍ତାନିରେ ଭାରତ ଏକ ଆଗଧାଡ଼ିର ଦେଶ ଭାବେ ଉଭା ହେବାର ସମ୍ଭାବନା ରହିଛି। ଯୁଦ୍ଧ ପୂର୍ବରୁ ରୁଷିଆ ସହ ଭାରତର କାରବାର ନିଅଣ୍ଟ ଦେଇ ଗତି କରୁଥିଲା। ଅର୍ଥାତ ରୁଷିଆ ଅଧିକ ରପ୍ତାନି କରୁଥିବା ବେଳେ ଭାରତ ସେଠାକୁ ଅପେକ୍ଷାକୃତ କମ୍ ରପ୍ତାନି କରୁଥିଲା। ବହୁ ବର୍ଷ ଧରି ଏହି ଧାରା ଜାରି ରହିଛି। ରୁଷିଆରୁ ଭାରତ ଅଧିକ ତେଲ ଗମାଇଥାଏ। ୨୦୨୧-୨୨ରେ ଭାରତ ଯେତିକି ତେଲ ଆମଦାନି କରିଛି ତାହାର ୨.୮% ରୁଷିଆରୁ କିଣାଯାଇଛି। ରୁଷିଆକୁ ଭାରତ ଅଧିକ ଇଲେକ୍ଟ୍ରିକାଲ୍ ମେସିନ୍ ରପ୍ତାନି କରୁଛି। ରୁଷିଆ କିନ୍ତୁ ଭାରତର ଏତେ ବଡ଼ ବାଣିଜ୍ୟ ସହଯୋଗୀ ନୁହେଁ। ଏହା ୨୫ତମ ସ୍ଥାନରେ ରହିଛି। ରୁଷିଆ କାରବାରରେ ଭାରତର ଭାଗ ହେଉଛି ମାତ୍ର ୧.୩%। ସେହିପରି, ୟୁକ୍ରେନ୍ ସହିତ ମଧ୍ୟ ଆମ କାରବାର ଆହୁରି କମ୍ ରହିଛି। ଦେଶର ପ୍ରମୁଖ ତୈଳ କଂପାନି ଇଣ୍ଡିଆନ ଅଏଲ୍‌ ରୁଷିଆରୁ ବିନା ବୀମା ସୁରକ୍ଷାରେ ‌ତେଲ ଆଣିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ରୁଷିଆର ଯେଉଁ ବ୍ୟାଙ୍କଗୁଡ଼ିକ ଉପରେ କଟକଣା ଲଗାଯାଇଛି ସେମାନଙ୍କ ସହ କାରବାର ନକରିବାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଜେଏମ୍ ଫାଇନାନ୍ସିଆଲ୍‌ର ଏକ ରିପୋର୍ଟରେ ଆକଳନ କରାଯାଇଛି ଯେ ରୁଷିଆ-ୟୁକ୍ରେନ ଯୁଦ୍ଧ ପାଇଁ ଭାରତର ଘରୋଇ ବ୍ୟାଙ୍କ, ଉପଭୋକ୍ତା ଖାଦ୍ୟ ପଦାର୍ଥ, ଔଷଧ, ୟୁଟିଲିଟି, ତୈଳ ଓ ଗ୍ୟାସ୍ ଏବଂ ଆଇଟି କ୍ଷେତ୍ର ପ୍ରଭାବିତ ହେବାର ଆଶଙ୍କା ରହିଛି। କେବଳ ସେତିକି ନୁହେଁ ଶିଳ୍ପ, ଭିତ୍ତିଭୂମି, ସିମେଣ୍ଟ୍, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଅଟୋମୋବାଇଲ୍, ରିଅଲ ଇଷ୍ଟେଟ୍‌ ଓ ଟେଲିକମ୍ କ୍ଷେତ୍ରରେ ଥିବା କଂପାନିଗୁଡ଼ିକର କାରବାର ପ୍ରଭାବିତ ହେବ। ଦେଶର ଜିଡିପି ଅଭିବୃଦ୍ଧି ହ୍ରାସ ପାଇବାର ଆଶଙ୍କା ରହିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ୟୁକ୍ରେନରୁ ଭାରତ ‌ପଶୁ ଓ ପନିପରିବା ଫ୍ୟାଟ୍ ଏବଂ ତେଲ କିଣିଥାଏ। ଉଭୟ ରୁଷିଆ ଓ ୟୁକ୍ରେନକୁ ବିପୁଳ ପରିମାଣର ଔଷଧ ରପ୍ତାନି କରିଥାଏ। ରୁଷିଆରୁ କୋଇଲା ଏବଂ ଏଲ୍‌ଏନ୍‌ଜି ମଧ୍ୟ ଆମଦାନି କରିଥାଏ। ଏହି ଯୁଦ୍ଧ ପ୍ରଭାବରେ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଏବଂ ଖାଇବା ତେଲ ମହଙ୍ଗା ହେବ। ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୧୧୩ ଡଲାର ହୋଇଯାଇଥିବାରୁ ତାହାର ପ୍ରଭାବରେ ପେଟ୍ରୋଲ ଓ ଡିଜେଲ୍ ମହଙ୍ଗା ହେବ। ସେହିପରି, ରୁଷିଆ ଓ ୟୁକ୍ରେନ୍‌ରୁ ଭାରତ ପ୍ରାୟ ୫ ଲକ୍ଷ ଟନ୍ ଖାଇବା ତେଲ ମଗାଇଥିଲା। ସେଥିରୁ ଦେଢ଼ ଲକ୍ଷ ଟନ୍ ଦେଶରେ ପହଞ୍ଚିଥିବା ବେଳେ ସାଢ଼େ ତିନି ଲକ୍ଷ ଟନ୍ ଅଟକି ରହିଛି। ତାହାର ପ୍ରଭାବରେ ଖାଇବା ‌ତେଲ ମହଙ୍ଗା ହେବା‌ରେ ଲାଗିଛି। ସନ୍‌ଫ୍ଲାୱାର ତେଲ ଦାମ୍ ବଢ଼ିଛି। ଏହି ଅଭାବ ଦୂର କରିବା ଲାଗି ପାମ୍ ଓ ସୋୟା ଅଏଲ୍‌ ଅଧିକ ଆମଦାନି କରିବା ଉପରେ ଜୋର ଦିଆଯାଉଛି। ବିଦେଶୀ ସଂସ୍ଥା ଏକ୍ସନ୍‌ସ ରୁଷିଆରୁ ବାହାରି ଆସିଥିବାରୁ ତା’ ସହିତ ସହଯୋଗିତା ସ୍ଥାପନ କରିଥିବା ଭାରତୀୟ ସଂସ୍ଥା ଓଏନ୍‌ଜିସି ବିଦେଶ ଅଡ଼ୁଆରେ ପଡ଼ିଯାଇଛି। ଅନ୍ୟ ବିଦେଶୀ କଂପାନି ଏକ୍ସନମୋବିଲ୍, ବିପି ଓ ସେଲ୍ ରୁଷିଆରୁ ବାହାରି ଆସିଛନ୍ତି। ଆପଲ୍‌, ଫୋର୍ଡ ଓ ବୋଇଙ୍ଗ୍‌ ମଧ୍ୟ ରୁଷିଆକୁ ବୟକଟ୍ କରିଛନ୍ତି। ଏହି ସବୁ କଂପାନି ସହିତ ଭାରତର କାରବାର ସମ୍ପର୍କ ରହିଛି। ଭିସା ଓ ମାଷ୍ଟରକାର୍ଡ ରୁଷିଆର ବିଭିନ୍ନ ଆର୍ଥିକ ସଂସ୍ଥା ଉପରେ କଟକଣା ଲଗାଇଛନ୍ତି। ଏଚ୍‌ଏସ୍‌ବିସି ମଧ୍ୟ ରୁଷିଆ ସହିତ ସମ୍ପର୍କ ହ୍ରାସ କରିବା ଆରମ୍ଭ କରିଛି। ହାର୍ଲି ଡେଭିଡ୍‌ସନ୍‌, ଭଲ୍‌ଭୋ କାରସ୍‌, ଫୋର୍ଡ, ଫକ୍ସୱାଗନ ଓ ରେନୋ ମଧ୍ୟ ରୁଷିଆକୁ କୌଣସି ସାମଗ୍ରୀ ରପ୍ତାନି କରିବେ ନାହିଁ। ତେବେ ଏହି ଯୁଦ୍ଧ ପରେ ଭାରତ ପାଇଁ ଗହମ ରପ୍ତାନି ବଢ଼ାଇବାର ସୁଯୋଗ ସୃଷ୍ଟି ହୋଇଛି। ରୁଷିଆ ବିଶ୍ବର ୧୮% ଗହମ ବିଭିନ୍ନ ଦେଶକୁ ରପ୍ତାନି କରିଥାଏ। ଉଭୟ ରୁଷିଆ ଓ ୟୁକ୍ରେନ ବିଶ୍ବର ୨୫.୪% ଗହମ ଆବଶ୍ରକତା ପୂରଣ କରିଥାନ୍ତି। ଇଜିପ୍ଟ, ତୁର୍କୀ ଓ ବାଲାଂଦେଶ ରୁଷିଆରୁ ଅଧା ଗହମ କିଣିଥାନ୍ତି। ଭାରତ ପାଖରେ ୨୪.୨ ନିୟୁତ ଟନ୍ ଗହମ ଭଣ୍ଡାରରେ ଗଚ୍ଛିତ ରହିଛି ଯାହା ଭାରତର ଭଣ୍ଡାର ଲାଗି ଧାର୍ଯ୍ୟ କରାଯାଇଥିବା ସୀମା ଠାରୁ ଦୁଇ ଗୁଣ ଅଧିକ। ବର୍ତ୍ତମାନର ସୁଯୋଗରେ ଭାରତ ଗହମ ରପ୍ତାନି ବଢ଼ାଇ ପାରିବ।

Breaking News