ରିପୋର୍ଟ କାର୍ଡ / ଭୁବନେଶ୍ୱର
୨ ରୁଷୀୟ ପର୍ଯ୍ୟଟକ ପାଭେଲ ଆନ୍ତୋଭ ଓ ଭ୍ଲାଦିମିରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ପରେ ସେମାନଙ୍କର ଅନ୍ତିମ ସଂସ୍କାରକୁ ସ୍ପଷ୍ଟୀକରଣ ରଖିଛି ରୁଷିଆର ଦୂତାବାସ। ଓଡ଼ିଶା ପୋଲିସ ପଦକ୍ଷେପକୁ ସନ୍ତୋଷ ପ୍ରକାଶ କରିଛନ୍ତି ଭାରତରେ ଥିବା ରୁଷର ରାଷ୍ଟ୍ରଦୂତ ଡେନିସ ଆଲିପୋଭ। ସେ ଟ୍ୱିଟ୍ କରି କହିଛନ୍ତି, ଆମର ଦୁଇ ନାଗରିକଙ୍କ ମୃତ୍ୟୁ ତଦନ୍ତ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଯେଉଁ ପଦକ୍ଷେପ ନିଆଯାଉଛି, ତାହା ଭଲ କଥା। କିନ୍ତୁ ଏକଥା ସମସ୍ତେ ଜାଣିବା ଉଚିତ ଯେ, ରୁଷୀୟ ପରମ୍ପରା ଅନୁସାରେ ମୃତଦେହର ସଂସ୍କାର ପାଇଁ ତାକୁ ଦାହ କରାଯାଇପାରିବ, କବର ମଧ୍ୟ ଦିଆଯାଇପାରିବ। ରୁଷରେ ଉଭୟ ପ୍ରଥା ରହିଛି। ଜଣେ ଚାହିଁଲେ ଦାହ କରିପାରିବ ବା କବର ମଧ୍ୟ ଦେଇପାରିବ। ଦାହ ସଂସ୍କାର ଉପରେ ପ୍ରଶ୍ନ ଉଠାଇଥିବା ବ୍ୟକ୍ତିଙ୍କୁ ଏକ ପ୍ରକାର କଟାକ୍ଷ କରିଛନ୍ତି ଡେନିସ୍ ଆଲିପୋଭ। ରାୟଗଡ଼ାର ଏକ ହୋଟେଲରେ ଆନ୍ତୋଭ ଓ ଭ୍ଲାଦିମିରଙ୍କ ମୃତ୍ୟୁ ପରେ ଉଭୟଙ୍କ ମୃତଦେହକୁ ଖ୍ରୀଷ୍ଟୀୟ ପରମ୍ପରା ଅନୁସାରେ କାହିଁକି କବର ନ ଦେଇ ଦାହ କରାଯାଇଥିଲା ବୋଲି କିଛି ବ୍ୟକ୍ତି ପ୍ରଶ୍ନ ଉଠାଇଥିଲେ। ଆଲିପୋଭ ଏହାର ଜବାବ ରଖିଛନ୍ତି। ଅନ୍ୟପକ୍ଷରେ କୋଲକାତାରେ ଥିବା କନ୍ସୁଲେଟ୍ ଜେନେରାଲ ଅଫ୍ ରୁଷ ଟ୍ୱିଟ୍ କରିଛନ୍ତି, ମୃତ ଆନ୍ତୋଭ ଓ ଭ୍ଲାଦିମିରଙ୍କ ମୃତଦେହ ଦାହ କରିବାକୁ ସେମାନଙ୍କ ପରିବାର ଅନୁରୋଧ କରିଥିଲେ। ଏହା ସହ ଅସ୍ଥି ଘରକୁ ପଠାଇ ଦେବାକୁ କହିଥିଲେ। ସେମାନଙ୍କ ଅନୁରୋଧକୁ ରକ୍ଷା କରି ମୃତଦେହର ଦାହ ସଂସ୍କାର କରାଯାଇଛି। ଇତିମଧ୍ୟରେ ଦୁଇ ରୁଷୀୟ ପର୍ଯ୍ୟଟକ ଆନ୍ତୋଭ ଓ ଭ୍ଲାଦିମିରଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ପାଇଁ ରାୟଗଡ଼ାରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍। ଡିଏସ୍ପି ସରୋଜ କୁମାର ମହାନ୍ତଙ୍କ ନେତୃତ୍ୱରେ ୫ ଜଣିଆଟିମ୍ ଓ ୫ ଜଣିଆ ସାଇଣ୍ଚିଫିକ୍ ଟିମ୍ ରାୟଗଡ଼ା ଥାନାକୁ ଯାଇଛନ୍ତି।






More Stories
ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ…..
ଲଘୁଚାପ କ୍ଷେତ୍ର ସକ୍ରିୟ…..
ଛାତ୍ରଛାତ୍ରୀ ଦେଲେ ମାଟ୍ରିକ ପରୀକ୍ଷା…..