ରିପୋର୍ଟ କାର୍ଡ / ସମ୍ବଲପୁର
ହନୁମାନ ଜୟନ୍ତୀ ଶୋଭାଯାତ୍ରା ଅବସରରେ ସମ୍ବଲପୁରଠାରେ ଆରମ୍ଭ ହୋଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ୪ ଦିନ ହେବ କର୍ଫ୍ୟୁ ବଳବତ୍ତର ରହିଛି। ଆଜି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁରେ ୧୧ ଘଣ୍ଟାର କୋହଳ କରିଛି ଜିଲ୍ଲା ପ୍ରଶାସନ। ଜନତାଙ୍କ ମଧ୍ୟରେ ପ୍ରଶାସନ ଓ ପୋଲିସ ଭରସାକୁ ଫେରାଇ ଆଣିବାକୁ ସୋମବାର ଠାରୁ ବିଭିନ୍ନ ପଡ଼ାରେ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିମାନଙ୍କୁ ନେଇ ସମନ୍ୱୟ ବୈଠକଗୁଡିକ ଜାରି ରହିଛି। ମଙ୍ଗଳବାର ସମ୍ବଲପୁରଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟ, ଚାମ୍ବର ଅଫ କମର୍ସ, ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଏସୋସିଏନ ଏବଂ ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହିତ ପୂର୍ବ ସ୍ଥିତି ଫେରାଇ ଆଣିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସକାଳ ୯ଟାରେ ହିନ୍ଦୁ ମାନଙ୍କୁ ନେଇ ବୈଠକ ହେବା ପରେ ଦିନ ୧୧ଟା ୩୦ରେ ମୁସଲିମ ସମ୍ପ୍ରଦାୟ ସହିତ ବୈଠକ ହୋଇଥିଲା। ମଙ୍ଗଳବାରର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି ଯେ, ସହରରେ ଶାନ୍ତିଶୃଙ୍ଖଳା ରହିଛି। ଜନତା ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ବିଭିନ୍ନ ପଡ଼ାଗୁଡିକର ବ୍ୟକ୍ତି ବିଶେଷମାନଙ୍କୁ ଡକାଯାଇ ଶାନ୍ତି ବୈଠକ ଗୁଡିକ କରାଯାଉଛି। ଏ ସମ୍ପର୍କରେ ଜିଲା ପୋଲିସ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର କହିଛନ୍ତି ଯେ, ସହରରେ ଆଇନ ଶୃଙ୍ଖଳା ସ୍ଥିତି ସୁଧୁରୁଛି। ଫେରାର ଥିବା ଗଣ୍ଡୋଗଳକାରୀ ମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଇଦ ଅବସରରେ ସାମୂହିକ ଭାବରେ ନମାଜ ଆୟୋଜନ ପାଇଁ ମୁସଲିମ ସମ୍ପ୍ରଦାୟଙ୍କୁ ବାରଣ କରାଯାଇଛି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……