Report Card Odisha

| Daily Odia News

ଘୁଞ୍ଚିଲା ସମଲିଙ୍ଗୀ ବିବାହ ମାମଲା ଶୁଣାଣି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବା ନେଇ ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଥିଲେ ମଧ୍ୟ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଉକ୍ତ ମାମଲାକୁ ସୁପ୍ରିମକୋର୍ଟର ୫ ଜଣିଆ ସମ୍ବିଧାନ ପୀଠକୁ ପଠାଇ ଦିଆଯାଇଛି। ଆସନ୍ତା ଏପ୍ରିଲ ୧୮ ତାରିଖରେ ଏହି ମାମଲାର ଶୁଣାଣି ୫ ଜଣିଆ ସମ୍ବିଧାନ ପୀଠରେ ହେବ। ଉକ୍ତ ମାମଲାରେ ଯାହା ବି ନିଷ୍ପତ୍ତି ନିଆଯିବ ସମାଜ ଉପରେ ତା’ର ବିରାଟ ପ୍ରଭାବ ରହିବ। ତାହାକୁ ଦୃଷ୍ଟିରେ ରଖି ମାମଲାକୁ ସମ୍ବିଧାନ ପୀଠରେ ଶୁଣାଣି ପାଇଁ ଆଜି କୋର୍ଟ କହିଛନ୍ତି। ଏଥିସହିତ ସୁପ୍ରିମ୍‌କୋର୍ଟ ୱେବ୍‌ସାଇଟ୍ ଓ ୟୁଟ୍ୟୁବ୍‌ରେ ଏହି ଶୁଣାଣିର ଲାଇଭ୍-ଷ୍ଟ୍ରିମିଙ୍ଗ ହେବ। ସୋମବାର ତିନିଜଣିଆ ବେଞ୍ଚ କହିଲେ ଯେ, ସମ୍ବିଧାନର ଧାରା ୧୪୫(୩) ଅନୁଯାୟୀ ୫ଜଣିଆ ବେଞ୍ଚରେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ଶୁଣାଣି ହେବା ଯୁକ୍ତିଯୁକ୍ତ। ତେଣୁ ଅାମେ ଏହାକୁ ସମ୍ବିଧାନ ବେଞ୍ଚକୁ ସ୍ଥାନାନ୍ତର କରିବାକୁ ସୁପାରିସ କରୁଛୁ। ଏହାପୂର୍ବରୁ କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ଯୁକ୍ତି ବାଢ଼ିଥିଲେ ଯେ, ସମଲିଙ୍ଗୀ ବିବାହ ‘ଭାରତୀୟ ପରିବାର ଏକକ’ ଧାରଣାର ପରିପନ୍ଥୀ। ଭାରତୀୟ ଧାରଣାରେ ପରିବାର କହିଲେ ସ୍ବାମୀ, ସ୍ତ୍ରୀ ଓ ପିଲାମାନଙ୍କୁ ବୁଝାଏ। ସ୍ବାମୀ ଜଣେ ପୁରୁଷ ଓ ସ୍ତ୍ରୀ ଜଣେ ନାରୀ ହୋଇଥାଏ। ସେମାନଙ୍କ ମିଳନରୁ ପିଲାମାନେ ଜନ୍ମ ହୋଇଥାନ୍ତି। ସେହି ପୁରୁଷ ପିଲାମାନଙ୍କର ଜୈବିକ ପିତା ଓ ନାରୀ ସେମାନଙ୍କର ଜୈବିକ ମାତା ହୋଇଥାନ୍ତି। ପିଲାମାନେ ସେହି ପିତାମାତାଙ୍କ ଦ୍ବାରା ଲାଳିତପାଳିତ ହୋଇଥାନ୍ତି। ସମଲିଙ୍ଗୀ ବିବାହରୁ ଏଭଳି ପରିବାର ଗଠନ ସମ୍ଭବ ନୁହେଁ। ଆଇପିସିର ଧାରା ୩୭୭ରୁ ସମଲିଙ୍ଗୀ ସମ୍ପର୍କକୁ ଅପରାଧୀକରଣରୁ ମୁକ୍ତ କରାଯାଇଥିଲେ ମଧ୍ୟ ଏପରି ଦମ୍ପତି ସମଲିଙ୍ଗୀ ବିବାହକୁ ସେମାନଙ୍କର ଅଧିକାର ବୋଲି ଦାବି କରିପାରିବେ ନାହିଁ। ସୂଚନାଯୋଗ୍ୟ, ଗତ କିଛିମାସ ଭିତରେ ଅତି କମ୍‌ରେ ଚାରିଜଣ ସମଲିଙ୍ଗୀ (ଗେ) ଦମ୍ପତି ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିଲେ।

Breaking News