ରିପୋର୍ଟ କାର୍ଡ / ଭୁବନେଶ୍ୱର
ରବିବାର ଗୋପ ବ୍ଲକ ଅଧିନ ରାମଚଣ୍ଡୀ ନିକଟ ଜୋସେଫ୍ ଗାର୍ଡେନ୍ ପରିସରରେ ବିଜେପିର ରାଜ୍ୟ ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନେତୃତ୍ୱରେ ବିଜେପିର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବା ଶ୍ରୀ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକର ୧୪ଟି ପଞ୍ଚାୟତର ପ୍ରମୁଖ କର୍ମକର୍ତ୍ତାଙ୍କ ସମେତ ୫ଶହରୁ ଅଧିକ ଦଳୀୟ କର୍ମୀ ଏହି ବୈଠକରେ ଯୋଗ ଦେଇଥିଲେ। ଏରବଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୂତିଭୂଷଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେପିର ମୁଖପାତ୍ର ସମୀର ରଞ୍ଜନ ଦାଶ, ଜୀବନାନନ୍ଦ ମହାପାତ୍ର, ପ୍ରକାଶ ପ୍ରଧାନ, କୃଷ୍ଣ ବେହେରା, ଦ୍ୱିଜବର ପ୍ରଧାନଙ୍କ ସମେତ ୧୪ଟି ପଞ୍ଚାୟତର ଦଳୀୟ କର୍ମକର୍ତ୍ତାମାନେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବିରୋଧରେ ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆସନ୍ତା ପଞ୍ଚାୟତ ନିର୍ବାଚନରେ ପ୍ରଭାତୀଙ୍କ ଦ୍ୱାରା ପ୍ରସ୍ତାବିତ କୌଣସି ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ନାହିଁ ବୋଲି କହିଥିଲେ। ସମୀର ଦାଶଙ୍କ ନେତୃତ୍ୱରେ ବିଜେପି ଗୋପ ପଞ୍ଚାୟତ ସମିତି ଦଖଲ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବା ଯୁବନେତା ମନଦୀପ ପାଇକରାୟ ଗଣମାଧ୍ୟମକୁ କହିଛନ୍ତି। ବୈଠକରେ ବିଜେପିର ଗୋପ ବ୍ଲକ ଆବାହକ ରୂପେ ପ୍ରକାଶ ପ୍ରଧାନ ଓ ସହ-ଆବାହକ ରୂପେ ମନଦୀପ ପାଇକରାୟଙ୍କୁ ମନୋନୀତ କରାଯାଇଛି। ଏଥିସହ ପ୍ରତି ପଞ୍ଚାୟତ ପାଇଁ ଆବାହକ ଓ ସହ-ଆବାହକ ମନୋନୀତ ହୋଇଛନ୍ତି। ଆସନ୍ତା ଅଗଷ୍ଟ ମାସରୁ ପ୍ରତି ପଞ୍ଚାୟତରେ ପଦଯାତ୍ରା କରାଯାଇ ସାଂଗଠନିକ ଶକ୍ତି ବୃଦ୍ଧି କରାଯିବା ସହିତ ଗୋପ ପଞ୍ଚାୟତ ସମିତି ଦଖଲ କରାଯିବ ବୋଲି ସମୀର ଦାଶ ପ୍ରକାଶ କରିଛନ୍ତି।






More Stories
୨୧ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..
ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କବାଦୀ…..