Report Card Odisha

| Daily Odia News

ସରପଞ୍ଚଙ୍କୁ ବହିଷ୍କାର କରିପାରିବେ ଜିଲ୍ଲାପାଳ……

ରିପୋର୍ଟ କାର୍ଡ / କଟକ

ଜିଲ୍ଲାପାଳ ଚାହିଁହେଲେ ସରପଞ୍ଚ, ନାଏବ ସରପଞ୍ଚ ଏବଂ ୱାର୍ଡ ସଭ୍ୟଙ୍କୁ ପଦରୁ ବହିଷ୍କାର କରିଦେଇ ପାରିବେ । ଏହି ଆଇନଗତ କ୍ଷମତା ଜିଲ୍ଲାପାଳଙ୍କର ରହିଛି ବୋଲି ହାଇକୋର୍ଟ ଏକ ରାୟରେ ଶୁଣାଇଛନ୍ତି । ନୂଆପଡ଼ା ବ୍ଲକର ଜଣେ ପ୍ରାର୍ଥୀଙ୍କୁ ୨୧ ବର୍ଷ ହୋଇନଥିବାରୁ ଜିଲ୍ଲାପାଳ ତାଙ୍କୁ ଅସିଦ୍ଧ ଘୋଷଣା କରିବା ସହ ସରପଞ୍ଚ ପଦରୁ ବହିଷ୍କାର କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ବହିଷ୍କୃତ ସରପଞ୍ଚ ମନୀତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟର ଜଣିକିଆ ବିଚାରପତି ଜିଲ୍ଲାପାଳଙ୍କ ଆଦେଶକୁ ରଦ୍ଦ କରିଥିଲେ । ପରେ ଏହି ଆଦେଶ ବିରୋଧରେ ହାଇକୋର୍ଟରେ ରିଟ୍ ଅପିଲ କରାଯାଇଥିଲା । ଦୁଇଜଣଙ୍କ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ପରେ ଜଣିକିଆ ବିଚାରପତିଙ୍କ ଆଦେଶକୁ ରଦ୍ଦ କରିବା ସହ ଜିଲ୍ଲାପାଳଙ୍କ ଆଦେଶକୁ କାଏମ୍ ରଖିଛନ୍ତି । ସୂଚନା ଯୋଗ୍ୟ – ୨୦୧୭ ମସିହା ଫେବୃଆରୀ୨୭ରେ ମନୀତା ସଲିହା ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ ଜିତିଥିଲେ । ମାତ୍ର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ବେଳକୁ ତାଙ୍କୁ ୨୧ ବର୍ଷ ହୋଇନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ଶୁଣାଣି କରି ଜିଲ୍ଲାପାଳ ମନୀତାଙ୍କୁ ସରପଞ୍ଚ ପଦରୁ ବହିଷ୍କାର କରିଥିଲେ । ତେବେ ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ ସଭ୍ୟ ପଦରେ ରହିବେ କି ନାହିଁ ସେ କ୍ଷେତ୍ରରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି ସର୍ବମାନ୍ୟ ବୋଲି କୋର୍ଟ କହିଛନ୍ତି ।

 

Breaking News