ରିପୋର୍ଟ କାର୍ଡ / ଭୁବନେଶ୍ୱର
କେନ୍ଦ୍ର ସରକାରଙ୍କ ପକ୍ଷରୁ ଆମଦାନି ଶୁଳ୍କ ହ୍ରାସ ପାଇବା ପରେ ତେଲ ଦର କମିଛି। ରାଜଧାନୀ ଭୁବନେଶ୍ବରରେ ହୋଲସେଲ୍ରେ ଲିଟର ପିଛା ପାମ୍ ତେଲ ୧୩୦ରୁ ୧୨୦ ଟଙ୍କାକୁ କମିଥିବାବେଳେ ସୂର୍ଯ୍ୟମୁଖୀ ତେଲ ୧୫୦ରୁ ୧୩୫ ଟଙ୍କାକୁ ହ୍ରାସ ପାଇଛି। ତେବେ ରାଜ୍ୟରେ ଉତ୍ପାଦିତ ସୋରିଷ ତେଲ ପୂର୍ବଭଳି ୧୮୦ରୁ ୧୯୦ ଟଙ୍କାରେ ବିକ୍ରି ହେଉଥିବା ନେଇ ବ୍ୟବସାୟୀ ସଂଘର ପକ୍ଷରୁ ସୂଚନା ମିଳିଛି । ଏକ ମାସ ପରେ ଫସଲ ଭଲ ହେଲେ ତେଲ ଦର ଏକ ଶହ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ଆଶା ରହିଛି। ସୂଚନା ଅନୁଯାୟୀ, ଓଡ଼ିଶାକୁ ବାର୍ଷିକ ସାଢ଼େ ୫ ଲକ୍ଷ ଟନ୍ ଖାଇବା ତେଲର ଆବଶ୍ୟକତା ଥାଏ। ସେଥିରୁ ରାଜ୍ୟକୁ ମାସିକ ୪୫ ହଜାର ଟନ୍ ତେଲ ଆବଶ୍ୟକ ହେଉଥିବାବେଳେ କେବଳ ରାଜଧାନୀକୁ ୧୦ ହଜାର ଟନ୍ ତେଲ ଦରକାର ହୁଏ। ଏକ ବର୍ଷ ହେଲା ଖାଇବା ତେଲ ଦର ୨୦ରୁ ୩୦ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଥିବାବେଳେ ବନସ୍ପତି ଘିଅ ମଧ୍ୟ ଦରବୃଦ୍ଧିରୁ ବାଦ୍ ପଡ଼ି ନାହିଁ। ଏହାର ସିଧାସଳଖ ପ୍ରଭାବ ସାଧାରଣ ଗ୍ରାହକଙ୍କ ହାଣ୍ଡିଶାଳ ଉପରେ ପଡ଼ିଛି। ଖାଇବା ତେଲକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବା ପରେ କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ଖାଦ୍ୟ ତେଲ ଦର ନିୟନ୍ତ୍ରଣ ପାଇଁ ଚିଠି କରାଯାଇଥିଲା। ଅତ୍ୟାବଶକ ସାମଗ୍ରୀ ଆଇନ ଅନ୍ତର୍ଗତରେ ରାଜ୍ୟଗୁଡ଼ିକୁ ଦର ନିୟନ୍ତ୍ରଣ ପାଇଁ କୁହାଯାଇଥିଲା। ରାଜ୍ୟରେ କେତେ ତେଲ ଗଚ୍ଛିତ ରହିଛି; ଏହାର ନିରୀକ୍ଷଣ କରି ସୂଚନା ପ୍ରଦାନ ପାଇଁ ମଧ୍ୟ ନିର୍ଦେଶ ହୋଇଥିଲା। ଏଥିସହିତ କେନ୍ଦ୍ର ସରକାର ସୂର୍ଯ୍ୟମୁଖୀ ତେଲରେ ଆମଦାନି ଶୁଳ୍କ ୩୮ ପ୍ରତିଶତରୁ ୩୦ ପ୍ରତିଶତକୁ ଏବଂ ରିଫାଇନ ତେଲର ଆମଦାନି ଶୁଳ୍କକୁ ୪୯ ପ୍ରତିଶତରୁ ୪୧ ପ୍ରତିଶତକୁ ହ୍ରାସ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଭାରତ ପ୍ରାୟ ୬୦ ପ୍ରତିଶତ ଖାଇବା ତେଲ ବିଦେଶରୁ ଆମଦାନି କରୁଥିବାରୁ ଆମଦାନି ଶୁଳ୍କକୁ ହ୍ରାସ କରି ସରକାର ଖାଇବା ତେଲର ଦର କମାଇବାକୁ ପଦକ୍ଷେପ ନେଇଛନ୍ତି।
More Stories
ବିଲ ମଝିରେ ଅବତରଣ କଲା ନୌସେନା ହେଲିକପ୍ଟର…..
ପ୍ରବାସୀଙ୍କୁ ସ୍ୱାଗତ ପାଇଁ ଭବ୍ୟ ପ୍ରସ୍ତୁତିର ସମୀକ୍ଷା ବୈଠକ….
ଶ୍ରୀଜୀଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି….