ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ୮ ଜିଲ୍ଲାରେ ସମସ୍ତ ସ୍କୁଲ,କଲେଜ ଓ ଅଙ୍ଗନବାଡି ବନ୍ଦ।ଉତ୍ତର ଏବଂ ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ । ଭଦ୍ରକ, କେନ୍ଦୁଝର, ଯାଜପୁର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ଼,ସୋନପୁରରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷା ସହ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି। ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ବର୍ଷାକୁ ନେଇ ଏବେ ରାଜ୍ୟର ତିନୋଟି ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସାଳନ୍ଦୀ, ଜଳକା ଓ ବୈତରଣୀରେ ଜଳସ୍ତର ବିପଦ ସଙ୍କେତ ଡେଇଁଛି। ବନ୍ୟାଜଳ ସହରାଞ୍ଚଳ ଓ ଗାଁଗଣ୍ଡାରେ ପଶିଲାଣି। ଏପରିକି ଭଦ୍ରକ ସମେତ କେତେକ ଜିଲ୍ଲାର ଲୋକେ ଜଳଘେରରେ ରହିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଶ୍ୱସ୍ତ କରାଯିବା ସହ ସବୁପ୍ରକାର ସ୍ଥିତି ମୁକାବିଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମଙ୍ଗଳବାର ବିଭାଗୀୟ ଅଧିକାରୀଙ୍କ ସହ ଲୋକସେବା ଭବନରେ ସମୀକ୍ଷା ବୈଠକ ପରେ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ାରେ ଏବେ ବି ବର୍ଷା ଲାଗିରହିଛି। ଉପରମୁଣ୍ଡରେ ବର୍ଷା ହେଉଥିଲେ ହେଁ ରାଜ୍ୟରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବନ୍ୟାକୁ ନେଇ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ସାରା ଓଡ଼ିଶାରେ ହାରାହାରି ୪୭.୨ ମିଲିମିଟର ବର୍ଷା ହୋଇଛି। ନୀଳଗିରିରେ ସବୁଠୁ ଅଧିକ ୨୩୯ ମିଲିମିଟର ବର୍ଷା ହୋଇଛି। ୮ଟି ବ୍ଲକରେ ୨୦୦ ମିଲିମିଟର ବର୍ଷା ହୋଇଛି। ଗତ ୮ ଦିନ ଭିତରେ ସ୍ବାଭାବିକଠୁ ୮୪ପ୍ରତିଶତ ଅଧିକ ବର୍ଷା ହୋଇଛି। ଉପରମୁଣ୍ଡରେ ବର୍ଷା ହେଉଛି, ତଳମୁଣ୍ଡରେ ବର୍ଷା କମ୍ ଥିବାରୁ ସେମିତି କିଛି ସମସ୍ୟା ନାହିଁ। ୨୪ ଘଣ୍ଟା ଭିତରେ ୭ ଲକ୍ଷ କ୍ୟୁସେକ୍ ଜଳ ମୁଣ୍ଡଳୀରେ ପହଞ୍ଚିବ। ଏବେ କିଛି ସମସ୍ୟା ନାହିଁ। ବର୍ତ୍ତମାନ ବୈତରଣୀ, ସାଳନ୍ଦୀ ଓ ଜଳକାରେ ଜଳସ୍ତର ବିପଦ ସଙ୍କେତ ଟପିଛି। ବନ୍ୟାଜଳ ସହରାଞ୍ଚଳରେ ପଶିଛି। ବହୁ ଲୋକ ଜଳଘେରରେ ଅଛନ୍ତି। ଓଡ୍ରାଫ୍ ଟିମ୍ ପକ୍ଷରୁ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍ଡିଆର୍ଏଫ୍ ଟିମ୍ ହାଇ ଆଲର୍ଟ ମଧ୍ୟରେ ଅଛି। ଭଦ୍ରକ ଓ ସୁନ୍ଦରଗଡ଼ର କିଛି ସ୍ଥାନରୁ ଲୋକଙ୍କୁ ଅନ୍ୟ ଜାଗାକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ପାଣିପାଗ ବିଭାଗର ପ୍ରାକ୍ ସୂଚନା ଅନୁଯାୟୀ, ବୁଧବାର ପର୍ଯ୍ୟନ୍ତ ବର୍ଷା ଜାରି ରହିବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଜିଲା ପ୍ରଶାସନ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିୟମିତ ଯୋଗାଯୋଗରେ ଅଛନ୍ତି। ସୁନ୍ଦରଗଡ଼ ଓ ଭଦ୍ରକରେ ସ୍ଥାନାନ୍ତରଣ ପ୍ରକ୍ରିୟା ଜୋର୍ଦାର କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ସବୁପ୍ରକାର ପରିସ୍ଥିତିର କିଭଳି ମୁକାବିଲା କରାଯାଇପାରିବ ସେନେଇ ସଜାଗ ରହିବା ଲାଗି ସଂପୃକ୍ତ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣଙ୍କ ଜୀବନ ସୁରକ୍ଷା ସରକାରଙ୍କ ସର୍ବାଧିକ ପ୍ରାଥମିକତା। ଆବଶ୍ୟକ ଅନୁଯାୟୀ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ରନ୍ଧାଖାଦ୍ୟ, ଶୁଖିଲା ରାଶନ, ପାନୀୟଜଳ ଏବଂ ଅନ୍ୟାନ୍ୟ ଆବଶ୍ୟକ ରିଲିଫ୍ ସାମଗ୍ରୀ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମସ୍ତ ଜରୁରିକାଳୀନ ବିଭାଗ ସମନ୍ବୟ ରକ୍ଷାକରି ଯେକୌଣସି ପରିସ୍ଥିତିର ତ୍ୱରିତ ମୁକାବିଲା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି। ବୈଠକରେ ଜଳସମ୍ପଦ, ରାଜସ୍ବ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।






More Stories
ଶ୍ରୀମନ୍ଦିରରେ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ…..
ସ୍ୱାସ୍ଥ୍ୟ ପରିସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ…..
ବାପାର ଜୀବନ ନେଲା ପୁଅ…..