Report Card Odisha

| Daily Odia News

୨୦ ରୁ ଖୋଲିବ ବିଦ୍ୟାଳୟ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଖରା ଛୁଟି ପରେ ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଖୋଲିବ ସମସ୍ତ ବିଦ୍ୟାଳୟ। ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ପୁନଃଖୋଲିବା ତାରିଖ ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ବି ଛୁଟି ତାଲିକାରେ ଏବର୍ଷ ଖରାଛୁଟି ଅବଧି ଜୁନ୍ ୧୯ ପର୍ଯ୍ୟନ୍ତ ରହିଛି। ତେଣୁ ୨୦ରୁ ବିଦ୍ୟାଳୟ ଖୋଲିବା ନେଇ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ବିଦ୍ୟାଳୟ ଖୋଲିବା ପୂର୍ବରୁ ସ୍ବଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ନିରାପଦ ପାନୀୟ ଜଳ ଉପରେ ଗୁରୁତ୍ବ ଦିଆଯାଇଛି। ବିଦ୍ୟାଳୟ ଖୋଲିବାର ଦିନକ ପୂର୍ବରୁ ଅର୍ଥାତ ୧୯ ତାରିଖରେ ଶିକ୍ଷକ, କର୍ମଚାରୀ, ପାଚିକା ଏବଂ ସହାୟିକାଙ୍କୁ କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ଝାଡ଼ାବାନ୍ତି ଗୋଟିଏ ପରେ ଗୋଟିଏ ଜିଲ୍ଲା କୁ ବ୍ୟାପୁଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣର ଭୟ ମଧ୍ୟ ରହିଛି। ଏବେ ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବାରୁ ଅଭିଭାବକମାନେ ଆଶ୍ବସ୍ତ ଅଛନ୍ତି। ୨୦ରୁ ବିଦ୍ୟାଳୟ ଖୋଲିବା ପରେ ଏ ଦିଗରେ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମରେ କହିଥିଲେ ଯେ, ବିଦ୍ୟାଳୟ ଖୋଲିଲେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ କରୋନା ସଂକ୍ରମଣ ନେଇ ସତର୍କ କରାଯିବ। ଅଧିକ ସ୍ବାସ୍ଥ୍ୟ ଖରାପ ହେଲେ ଘରେ ରହିବେ ଛାତ୍ରଛାତ୍ରୀ। ବିଦ୍ୟାଳୟଗୁଡ଼ିକ ପୁଣି ଖୋଲିବା ପରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ କରୋନା ସୁରକ୍ଷା ବ୍ୟବସ୍ଥା ପାଳନ କରିବାକୁ ପଡ଼ିବ। ଥଣ୍ଡା ଭଳି ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ମାସ୍କ ପିନ୍ଧିବାକୁ କୁହାଯିବ। ଅଧିକ ଗୁରୁତର ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ ଘରେ ରହିବା ଏବଂ ଅଲଗା ରହିବାକୁ ପରାମର୍ଶ ଦିଆଯିବ ବୋଲି ପୂର୍ବରୁ ମନ୍ତ୍ରୀ କହିଥିଲେ। ବିଦ୍ୟାଳୟ ଖୋଲିବା ପରେ ସରକାରଙ୍କ ପଦକ୍ଷେପ ଉପରେ ଅଭିଭାବକଙ୍କ ନଜର ରହିଛି।

Breaking News