ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୨୦୨୯ ଲୋକସଭା ନିର୍ବାଚନରେ ମହିଳାଙ୍କ ପାଇଁ ସିଟ୍ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିପାରନ୍ତି ମୋଦି ସରକାର। ଆସନ୍ତା ଲୋକସଭା ନିର୍ବାଚନରୁ ଦେଶରେ ନାରୀ ଶକ୍ତି ବନ୍ଦ ଅଧିନିୟମ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି । ଏପରି ହେଲେ ଲୋକସଭା ସହିତ ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ କରାଯିବ । ଯେଉଁଥିରେ କି ମହିଳାମାନେ ନିର୍ବାଚିତ ହୋଇ ଲୋକସଭା ଏବଂ ବିଧାନସଭାରେ ପ୍ରତିନିଧିତ୍ୱ କରିବେ। ସୂତ୍ରରୁ ମିଳିଥିବା ଜଣେ ସରକାରୀ ଅଧିକାରୀଙ୍କ କହିବା ମୁତାବକ, ଜନଗଣନା ପାଇଁ ଘୋଷଣା ସରିଛି । ତେଣୁ ଆଗାମୀ ନିର୍ବାଚନରେ ଏହି ନୂଆ ନିୟମକୁ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୩ ମସିହା ସେପ୍ଟେମ୍ବର ମାସରେ ପାରିତ ହୋଇଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଅନୁସାରେ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ସିଟ୍ ସଂରକ୍ଷିତ ହୋଇରହିବ । ଜନଗଣନା ପରେ ପରେ ଏନେଇ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଜନଗଣନା ପରେ ଦେଶରେ ଲୋକସଭା ସହିତ ରାଜ୍ୟମାନଙ୍କରେ ବିଧାନସଭା ସିଟ୍ ସଂଖ୍ୟା ବୃଦ୍ଧି ପାଇପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ମହିଳାମାନଙ୍କ ପାଇଁ ଏହି ସିଟ୍ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ । କେଉଁ ରାଜ୍ୟରେ ମହିଳାଙ୍କ ପାଇଁ ବିଧାନସଭାରେ କେତେ ସିଟ୍ ସଂରକ୍ଷିତ ରହିବ ଏବଂ ଲୋକସଭାରେ କେତେ ସିଟ୍ ସଂରକ୍ଷିତ ରହିବ ସେନେଇ ଧାର୍ଯ୍ୟ କରାଯିବ । ଏହାସହ କେଉଁ କେଉଁ ଲୋକସଭା ଏବଂ ବିଧାନସଭା ଆସନ ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯିବ, ସେନେଇ ମଧ୍ୟ ନିଷ୍ପତ୍ତି ନିଆଯିବ । ତେବେ ଏ କ୍ଷେତ୍ରରେ କିନ୍ତୁ ଦକ୍ଷିଣ ଭାରତର କିଛି ରାଜ୍ୟ କଣ୍ଟା ହୋଇ ଛିଡ଼ା ହୋଇଛନ୍ତି । ଜନସଂଖ୍ୟା ଆଧାରରେ ଲୋକସଭା ସିଟ୍ ସଂଖ୍ୟା ବୃଦ୍ଧି ପାଇବା ନେଇ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ଦକ୍ଷିଣ ଭାରତରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏପରି ହେଲେ ଲୋକସଭାରେ ଦକ୍ଷିଣ ଭାରତର ସିଟ୍ ସଂଖ୍ୟା ହ୍ରାସ ପାଇବ ବୋଲି କୁହାଯାଉଛି ଆଉ ଉତ୍ତର ଭାରତର ସିଟ୍ ସଂଖ୍ୟା ଅପେକ୍ଷାକୃତ ବୃଦ୍ଧି ପାଇବ । ଯାହାଦ୍ୱାରା ଦକ୍ଷିଣ ଭାରତର ମହତ୍ତ୍ୱ କମ ହୋଇଯିବ ବୋଲି ରାଜନେତାମାନେ ଦାବି କରୁଛନ୍ତି । ତେବେ ଜାଣିରଖିବା ଉଚିତ ଯେ, ୧୯୭୧ ମସିହାର ଜନଗଣନା ଅନୁସାରେ ବର୍ତ୍ତମାନ ଲୋକସଭାର ସଦସ୍ୟ ସଂଖ୍ୟା ଧାର୍ଯ୍ୟ କରାଯାଇଛି । ୨୦୦୧ରେ ଏହା ପୁଣିଥରେ ହେବାକୁ ଥିଲେ ହେଁ, ଏହାକୁ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଥିଲା । ୨୦୦୨ରେ ବାଜପେୟୀ ସରକାରର କହିବା କଥା ଥିଲା ଯେ, ଏହାଦ୍ୱାରା ଜନସଂଖ୍ୟା ନିୟନ୍ତ୍ରଣକୁ ପ୍ରୋତ୍ସାହନ ମିଳିବ । ହେଲେ ଏବେ କେନ୍ଦ୍ରରେ ଥିବା ମୋଦୀ ସରକାର କିନ୍ତୁ ଏ ସପକ୍ଷରେ ନାହାଁନ୍ତି । ଲୋକସଭା ଏବଂ ରାଜ୍ୟ ବିଧାନସଭାର ସିଟ୍ ସଂଖ୍ୟା ବଢ଼ାଇବା ସହିତ ମହିଳାଙ୍କ ପାଇଁ ସିଟ୍ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଅଣ୍ଟା ଭିଡ଼ିଛି ମୋଦୀ ସରକାର ।
More Stories
ଆସୁଛି ଲଘୁଚାପ !…..
ଯୋଗ କଲେ ମୁଖ୍ୟମନ୍ତ୍ରୀ…..
ବଢ଼ିଲା ବିଷ୍ଣୁପଦଙ୍କ ଗିରଫ ଆଶଙ୍କା…..