ରିପୋର୍ଟ କାର୍ଡ / ପୁରୀ
ନୂଆବର୍ଷରେ ପୁରୀରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବେ ଶ୍ରଦ୍ଧାଳୁ। ତାହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ବରେ ୧୦ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୩୩ ଉପଆରକ୍ଷୀ ଅଧୀକ୍ଷକ, ୬୨ ଇନ୍ସପେକ୍ଟର ଏବଂ ୨୪୫ ସବ୍ ଇନ୍ସପେକ୍ଟର ରହିବେ। ୩ ରୁ ୫ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଏଭଳି ବନ୍ଦୋବସ୍ତ କରାଯାଇଛି। କେନ୍ଦ୍ରାଞ୍ଚଳ ପୋଲିସ ଡିଆଇଜି ଶୁକ୍ରବାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଟ୍ରାଫିକ୍ ପରିଚାଳନା, ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯାଇଛି। ବଡ଼ଦାଣ୍ଡରେ ବଗଲା ଧର୍ମଶାଳାଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ବ୍ୟାରିକେଡ୍ ନିର୍ମାଣ କରାଯାଇଛି।ନିଃଶୁଳ୍କ ଜୋତା ଓ ମୋବାଇଲ ଷ୍ଟାଣ୍ଡ୍ ସମେତ ଭ୍ରାମ୍ୟମାଣ ଶୌଚାଳୟ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ପ୍ରଭୁଙ୍କ ଦର୍ଶନ ପରେ ଉତ୍ତରଦ୍ବାର, ଦକ୍ଷିଣଦ୍ବାର, ପଶ୍ଚିମଦ୍ବାର ଦେଇ ପ୍ରସ୍ଥାନ କରିବେ। ଜାନୁଆରୀ ୧ରୁ ଅତ୍ୟଧିକ ଭିଡ଼ ଯୋଗୁଁ ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ଛଡ଼ାଯିବ। ଦଳାଚକଟା ସ୍ଥିତି ଏଡ଼ାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଭିତର ବେଢ଼ା, ନାଟମଣ୍ଡପ ଓ ଜଗମୋହନରେ କୁଇକ୍ ରେସ୍ପନ୍ସ ଦଳ ମୁତୟନ କରାଯିବ। ଜରୁରୀ ପରିସ୍ଥିତିରେ ଲୋକଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସଜାଗ ରହିବେ। ଆମ୍ବୁଲାନ୍ସ ଓ ଡାକ୍ତରୀ ଦଳ ସିଂହଦ୍ବାର ସମ୍ମୁଖରେ ରହିବେ। ମନ୍ଦିର ଚତୁଃପାର୍ଶ୍ବରେ ପୁଲିସ ସହାୟତା କେନ୍ଦ୍ର ଖୋଲାଯିବ। ଜଗନ୍ନାଥ ବଲ୍ଲଭ, ଜେଲ୍ ରୋଡ, ଦିଗବାରେଣି ବହୁତଳ ପାର୍କିଂ ସମେତ ଅତିରିକ୍ତ ଗାଡ଼ି ପାର୍କିଂ ଷ୍ଟାଣ୍ଡ୍ କରାଯିବ। ରାଜ୍ୟ ବାହାର ଟୁରିଷ୍ଟ ଗାଡ଼ି ଗୁଡ଼ିକ ମାଳତିପାଟପୁର ବସ୍ ଟର୍ମିନାଲରେ ପାର୍କିଂ କରିବେ। ସମଙ୍ଗ, ତାଳବଣିଆ, ମଙ୍ଗଳାଘାଟ, ମଶାଣିଚଣ୍ଡୀ ନିକଟରେ ଅସ୍ଥାୟୀ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯିବ। ଲୋକଙ୍କ ସୁରକ୍ଷା ପାଇଁ ୨୦୦ ଲାଇଫ ଗାର୍ଡ ମୁତୟନ ହେବେ। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ଚାରିଚକିଆ ଓ ଦୁଇଚକିଆ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବ ସମେତ ମାର୍କେଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ବଡ଼ଦାଣ୍ଡ ନୋ-ଭେହିକିଲ୍ ଜୋନ୍ କରାଯିବ। ତୀର୍ଥ ପୁଷ୍କରିଣୀଗୁଡ଼ିକରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକ ଓ ଭକ୍ତଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ କହିଛନ୍ତି।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..