Report Card Odisha

| Daily Odia News

ସିରିୟାରେ ଆମେରିକା ବିମାନ ଆକ୍ରମଣ,ବରିଷ୍ଠ ଅଲ୍‌-କାଏଦା ନେତାଙ୍କ ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପଶ୍ଚିମ ସିରିୟାରେ ଯୁକ୍ତରାଷ୍ଟ୍ର ଆମେରିକା କରିଥିବା ବିମାନ ଆକ୍ରମଣରେ ବରିଷ୍ଠ ଅଲ୍‌-କାଏଦା ନେତା ହମିଦ୍‌ ଅଲ୍‌-ମତର ନିହତ ହୋଇଥିବା କଥା ଶୁକ୍ରବାର ଦିନ ‘ସେଣ୍ଟ୍ରାଲ୍‌ କମାଣ୍ଡ୍‌’ର ମୁଖପାତ୍ର ମେଜର୍‌ ଜନ୍‌ ରିଗ୍‌ସ୍‌ବି କହିଛନ୍ତି। ରିଗ୍‌ସ୍‌ବି କହିଛନ୍ତି, ‘ଏମ୍‌କ୍ୟୁ-୯’ ଲଢୁଆ ବିମାନଦ୍ୱାରା ହୋଇଥିବା ଉକ୍ତ ଆକ୍ରମଣରେ କୌଣସି ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିନାହିଁ। ଏ ସଂକ୍ରାନ୍ତରେ ଜାରି ଏକ ବିବୃତି ଅନୁସାରେ, ଆମେରିକା ଏବଂ ତା’ର ମିତ୍ର ରାଷ୍ଟ୍ରମାନଙ୍କ ପ୍ରତି ଏବେ ମଧ୍ୟ ଅଲ୍‌-କାଏଦା ବିପଦର କାରଣ ହୋଇ ରହିଛି । ଏଥିରେ ଉଲ୍ଲେଖ ଅଛି ଯେ, ପୁନର୍ଗଠନ, ବାହ୍ୟ ସଙ୍ଗଠନଗୁଡ଼ିକ ସହାୟତା ଲୋଡ଼ିବା ଏବଂ ବାହ୍ୟ ଅଭିଯାନ ନିମନ୍ତେ ଯୋଜନା କରିବା ଲାଗି ଅଲ୍‌-କାଏଦା ସିରିୟାକୁ ନିରାପଦ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରୁଛି। ସିରିୟା, ଇରାକ୍‌ ଏବଂ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଧମକ ଦେବା ପାଇଁ ମଧ୍ୟ ଅଲ୍‌-କାଏଦା ସିରିୟାକୁ ଆଡ୍ଡା ଭାବେ ଉପଯୋଗ କରୁଛି। ଉକ୍ତ ବରିଷ୍ଠ ନେତାଙ୍କୁ ହତ୍ୟା କରିବାଦ୍ୱାରା ଅଲ୍‌-କାଏଦା ଆମେରିକୀୟ ନାଗରିକ, ଆମେରିକାର ମିତ୍ରରାଷ୍ଟ୍ର ଓ ସାଧାରଣ ଜନତାଙ୍କ ଉପରେ ଆକ୍ରମଣ କରି ପାରିବ ନାହିଁ କି ଷଡ଼ଯନ୍ତ୍ର କରିବାକୁ ତା’ର ସାମର୍ଥ୍ୟ ମଧ୍ୟ ରହିବ ନାହିଁ। ଆମେରିକୀୟମାନଙ୍କର କ୍ଷତି କରିବାକୁ ଲକ୍ଷ୍ୟ ରଖିଥିବା ଅଲ୍‌-କାଏଦାର ସଦସ୍ୟ ଏବଂ ଅନ୍ୟ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଆକ୍ରମଣ ଜାରି ରଖିବ।

Breaking News