ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜିଲ୍ଲାପାଳ ଓ ବରିଷ୍ଠ ଆଇଏଏସ ଅଫିସରମାନଙ୍କର ଦୁଇଦିନିଆ ସମ୍ମିଳନୀ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସମ୍ମିଳନୀର ଉଦଘାଟନ କରିଥିବା ବେଳେ ବୁଧବାର ଉଦଯାପନୀ ଉତ୍ସବରେ ସାମିଲ ହୋଇଥିଲେ | ଏହି ସମ୍ମିଳନୀରେ ପ୍ରାୟ ୧୭ଟି ପ୍ରସଙ୍ଗରେ ବିଭାଗୀୟ ସଚିବ ଓ ଜିଳ୍ଲାପାଳମାନେ ଆଲୋଚନା କରିବା ସହ ଆଗାମୀ ଦିନ ପାଇଁ ପ୍ରଶାସନକୁ ଲୋକାଭିମୁଖୀ କରିବା ନିମନ୍ତେ ରୂପରେଖ ପ୍ରସ୍ତୁତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ କହିଛନ୍ତି କି ସମସ୍ତ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟ ସର୍ବନିମ୍ନ ସମ୍ଭାବ୍ୟ ଅବଧି ମଧ୍ୟରେ କାର୍ଯ୍ୟକାରୀ କରିବା ଓ କଲ୍ୟାଣମୂଳକ ଯୋଜନାକୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଂଚାଇବାକୁ ପରାମର୍ଶ ଦେଇଛନ୍ତି । ଏହାସହିତ ‘ଫାଇଭ-ଟି ଓ ମୋ ସରକାର’ ଯୋଗୁ ପ୍ରଶାସନିକ ରୂପାନ୍ତରୀକରଣ ଆସିଥିବା ଏବଂ ଲୋକଙ୍କ ନିକଟରେ ଅଧିକ ଭାବେ ପହଂଚିବା ସମ୍ଭବପର ହୋଇଥିବା କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପରେ ୧୭ଟି ବିଭିନ୍ନ ପ୍ରସଙ୍ଗ ଉପରେ ବିଭାଗଗୁଡ଼ିକ ପକ୍ଷରୁ ପ୍ରେଜେଣ୍ଟେସନ ରଖିଥିଲେ । ଏସବୁ ପ୍ରେଜେଣ୍ଟେସନରେ କେବଳ ରାଜ୍ୟ ସରକାରଙ୍କ ସଫଳତା ଓ ଆଗାମୀ ଦିନରେ କ’ଣ କରାଯିବ ସେ ନେଇ ବିଭାଗୀୟ ସଚିବମାନେ ନିଜ ନିଜର ମତ ରଖିଥିଲେ । ବରିଷ୍ଠ ଅଧିକାରୀମାନେ ବୁଧବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡ଼ିୟମରେ ଏକଜୁଟ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେଠାରେ ଏହି ଉଦଯାପନୀ ସମାରୋହରେ ଯୋଗ ଦେଇ ଜିଲ୍ଲାପାଳ ଓ ବରିଷ୍ଠ ଅଫିସରମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ଜଣାପଡ଼ିଛି ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……