ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହାତରେ କଳା ପଟି ଆଉ ମୁହଁରେ କଳା ମାସ୍କ ପିନ୍ଧି ଧାରଣାରେ ବସିଲେ ଜାତୀୟତାବାଦୀ କଂଗ୍ରେସ ପାର୍ଟି ତଥା ଏନ୍ସିପିର ମୁଖିଆ ଶରଦ ପାଓ୍ୱାର। ମହାରାଷ୍ଟ୍ରର ବଦଲାପୁର ସ୍କୁଲରେ ଦୁଇ ଛୋଟ ପିଲାଙ୍କୁ ଦିଆଯାଇଥିବା ଯୌନ ନିର୍ଯାତନା ବିରୋଧରେ ଧାରଣାରେ ବସିଛନ୍ତି। ମହାବିକାଶ ଅଘାଡି ଆଜି ଏ ସମ୍ପର୍କରେ ମହାରାଷ୍ଟ୍ର ବନ୍ଦ ଡାକରା ଦେଇଥିଲା। ତେବେ ବମ୍ବେ ହାଇକୋର୍ଟ ଏହା ଉପରେ ରୋକ ଲଗାଇଥିଲେ। ଏହା ପରେ ପୁଣେରେ ଏମଭିଏ ଦଳ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ଶରଦ ପାୱାର କଳାପଟି ପିନ୍ଧି ଦଳର ନେତା ତଥା କର୍ମୀଙ୍କ ସହ ଧାରଣାରେ ବସିଛନ୍ତି। ତାଙ୍କ ସହ ଝିଅ ସୁପ୍ରିୟା ସୁଲେ ମଧ୍ୟ ଉପସ୍ଥିତ ଅଛନ୍ତି। ଏଠାରେ ଏକ ଜନସଭାକୁ ସମ୍ବୋଧିତ କରି ଶରଦ ପାଓ୍ୱାର ମହାରାଷ୍ଟ୍ର ସରକରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ‘ଆମେ ଏଠାରେ ଏକ ଦୁଃଖଦ ଓ ଚିନ୍ତାଜନକ ଘଟଣା ବିରୋଧରେ ଏକାଠି ହୋଇଛୁ। ମହାରାଷ୍ଟ୍ରରେ ପ୍ରତିଦିନ ମହିଳାଙ୍କ ପ୍ରତି ଅତ୍ୟାଚାର ହେଉଥିବା ଖବର ଶୁଣିବାକୁ ମିଳୁଛି। ସରକାର ଏହି ଘଟଣାକୁ ଗୁରୁତର ସହ ନେତା ଉଚିତ। ଯେତେ ଯାଏ ଦୋଷୀଙ୍କୁ ଫାଶୀ ଦଣ୍ଡ ନ ମିଳିଛି ସେତେଯାଏ ଆମେ ବିରୋଧ ଜାରି ରଖିବୁ।’ ସେପଟେ ଏନ୍ସିପି ନେତା ସୁପ୍ରିୟା ସୁଲେ ମଧ୍ୟ ବଦଲାପୁର ଘଟଣାକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ନିନ୍ଦା କରିଛନ୍ତି। ସେ କହିଛନ୍ତ, ‘ବାବା ସାହେବ ଆମ୍ବେଦକର ସମସ୍ତଙ୍କୁ ଅଧିକାର ଦେଇଛନ୍ତି, କିନ୍ତୁ ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ଘଟଣା ବଢ଼ିବାରେ ଲାଗିଛି। କିଛି ଘଟଣା ବାରମ୍ବାର ପୁନରାବୃତ୍ତି ହେଉଛି। କେତେକ କ୍ଷେତ୍ରରେ ପୋଲିସର ଅବହେଳା ମଧ୍ୟ ସାମ୍ନାକୁ ଆସିଛି। ଲୋକଙ୍କ ମନରେ ପୁଲିସ ପ୍ରତି ଆଉ ଭୟ ନାହିଁ। ମୁଁ ଏଭଳି ଘଟଣାକୁ ଦୃଢ଼ ଭାବେ ନିନ୍ଦା କରୁଛି।’ ସେପଟେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି, ‘ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ମହା ବିକାଶ ଅଗାଡି ଆଜି ବନ୍ଦ ଡାକରା ଦେଇଥିଲା। ଏହା ନ କରିବାକୁ କୋର୍ଟ କହିଛନ୍ତି। ଆମେ କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଛୁ, କିନ୍ତୁ ଆମେ ବିରୋଧ କରିବୁ। ଆମ ସ୍ୱରକୁ ଦମନ କରିବାକୁ ଚେଷ୍ଟା କରାଯାଉଛି, କିନ୍ତୁ ଆମର ସଂଗ୍ରାମ ଜାରି ରହିବ।’






More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..
ଓଏଏସ୍ ସ୍ତରରେ ଅଦଳବଦଳ…..