Report Card Odisha

| Daily Odia News

ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟି ଖର୍ଚ୍ଚ ରାଣୀ ଏଲିଜାବେଥଙ୍କ ଠାରୁ ଅଧିକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟି ଆସନ୍ତା ୨୭ ତାରିଖରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବାକୁ ଯାଉଛି। ଗତ ଜୁଲାଇ ମାସରେ ସେ ହତ୍ୟାର ଶିକାର ହୋଇଥିଲେ। ଜାପାନ ସରକାର ଏହି କାମରେ ୧.୬୬ ବିଲିୟନ ୟେନ ଖର୍ଚ୍ଚ କରିବାକୁ ଅଟକଳ କରିଛନ୍ତି | ଯାହା ରାଣୀ ଏଲିଜାବେଥ-୨ୟଙ୍କ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟିର ଖର୍ଚ୍ଚକୁ ବଳିଯିବ ବୋଲି ମିଡ଼ିଆ ରିପୋର୍ଟରୁ ଜଣାପଡ଼ିଛି। ଆବେଙ୍କ ଅନ୍ତ୍ୟେଷ୍ଟିରେ ଜନସାଧାରଣଙ୍କ ଅର୍ଥ ଏତେ ପରିମାଣରେ ଖର୍ଚ୍ଚ କରିବାକୁ ନେଇ ବିରୋଧ ଓ ବିବାଦ ଦେଖାଦେଇଛି। ରାଣୀ ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟିରେ ଯେତିକି ଖର୍ଚ୍ଚ ହୋଇଛି ତାହା ଜାପାନୀ ୟେନରେ ହେବ ୧.୩ ନିୟୁତ ୟେନ। ବର୍ତ୍ତମାନ ଜାପାନ ସରକାର ଆବେଙ୍କ ଅନ୍ତ୍ୟେଷ୍ଟିରେ ତା’ଠୁ ବି ଅଧିକ ଖର୍ଚ୍ଚ କରିବାକୁ ଅଟକଳ କରିଛନ୍ତି। ପୂର୍ବରୁ ଜାପାନ ସରକାର ଟୋକିଓ ଅଲିମ୍ପିକ୍ସରେ ୧୩ ବିଲିୟନ ଡଲାର ଖର୍ଚ୍ଚ କରିଥିଲେ, ଯାହା ଅଟକଳ ବଜେଟର ପ୍ରାୟ ଦୁଇଗୁଣ ଥିଲା। ଏହାକୁ ନେଇ ଲୋକମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ବର୍ତ୍ତମାନ ଆବେଙ୍କ ଅନ୍ତ୍ୟେଷ୍ଟି ପାଇଁ ଟୋକିଓର ଇଭେଣ୍ଟ ଅର୍ଗାନାଇଜର ସଂସ୍ଥା ମୁରାୟାମାକୁ ଦାୟିତ୍ବ ଅର୍ପଣ କରାଯାଇଛି। ବିପୁଳ ବ୍ୟୟଭାର ରାଜକୋଷରୁ ବହନ କରିବାକୁ ଅନେକ ଲୋକ ବିରୋଧ କରୁଛନ୍ତି। ଚଳିତ ସପ୍ତାହରେ ଜଣେ ଲୋକ ଏହାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମଦାହ କରିଥିଲେ। ଅନ୍ୟପକ୍ଷରେ ଆବେଙ୍କ ଅନ୍ତ୍ୟେଷ୍ଟି ପାଇଁ ଆସନ୍ତାକାଲିଠାରୁ ଜାପାନରେ ବିଶ୍ବନେତାଙ୍କ ସମାଗମ ଆରମ୍ଭ ହୋଇଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡିଛି ।

Breaking News