ରିପୋର୍ଟ କାର୍ଡ / କଟକ
ଭୁବନେଶ୍ବରରେ ସିମ୍ ବକ୍ସ କାରବାର ଖୋଳତାଡ଼ ସମୟରେ କଟକ ଲିଙ୍କ୍ ମିଳିଛି। ମଧୁପାଟଣାର ରାଜେନ୍ଦ୍ରନଗର ଅଞ୍ଚଳରେ ଗୋଟିଏ ଭଡ଼ା ଘରୁ ୫ଟି ସିମ୍ ବକ୍ସ, ୨୩୬ ସକ୍ରିୟ ସିମ୍ କାର୍ଡ, ୩୧୦ଟି ନିଷ୍କ୍ରିୟ ସିମ୍ କାର୍ଡ, ୪୦ ସିମ୍ କ୍ୟାରିୟର, ଗୋଟିଏ ମୋଡେମ୍, ୨ଟି ରାଉଟର୍, ଏକ୍ସଟେନ୍ସନ୍ କେବୁଲ, ଏୟାରଟେଲ୍ ବ୍ରଡବ୍ୟାଣ୍ଡ୍ ସମେତ ଅନ୍ୟାନ୍ୟ ଯାନ୍ତ୍ରିକ ଉପକରଣ ମଧୁପାଟଣା ଥାନା ପୋଲିସ ସହାୟତାରେ ଭୁବନେଶ୍ବର ପୋଲିସ ଜବତ କରିଛି। କପଡ଼ା ବ୍ୟବସାୟ କରିବାକୁ ଘର ମାଲିକଙ୍କୁ କହି ରାଜୁ ମଣ୍ଡଳ ଘରଭଡ଼ା ନେଇଥିଲା। ତେବେ ଏହି ସିମ୍ ବକ୍ସ ମରାମତି ଦାୟିତ୍ବରେ ଥିବା ରାଜୁ ମଣ୍ଡଳ ଓଡ଼ିଶାର ଅନ୍ୟ ଏକ ଜିଲ୍ଲାରେ ମଧ୍ୟ ସିମ୍ ବକ୍ସ ରଖିଥିବା ପୋଲିସକୁ ବଡ଼ ପ୍ରମାଣ ମିଳିଛି। ପୋଲିସ ଉକ୍ତ ସ୍ଥାନରେ ଯେ କୌଣସି ମୁହୂର୍ତ୍ତରେ ଚଢ଼ଉ କରିବାର ସମ୍ଭାବନା ରହିଛି। ଗତ ଶୁକ୍ରବାର ୧୬ ତାରିଖରେ କମିସନରେଟ୍ ପୋଲିସ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ମହାଦେବନଗର ଅଞ୍ଚଳରେ ଥିବା ଏକ ଆବାସିକ ଘରୁ ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ରାଜୁ ମଣ୍ଡଳକୁ ଗିରଫ କରିଥିଲା। ତା’ ନିକଟରୁ ୭ଟି ସିମ୍ ବକ୍ସ, ୧ ହଜାର ସିମ୍, ୩ଟି ରାଉଟର୍, ଲାପ୍ଟପ୍ ଇତ୍ୟାଦି ଜବତ ହୋଇଥିଲା। ତେବେ ତାକୁ ପୋଲିସ ପଚରାଉଚରା କରିବା ପରେ ସେ ରାଜେନ୍ଦ୍ରନଗର ଲିଙ୍କ୍ ସମ୍ପର୍କରେ ସୂଚନା ଦେଇଥିଲା। ସେହି ଆଧାରରେ ରବିବାର ଅପରାହ୍ନ ପ୍ରାୟ ୪ଟା ବେଳେ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ପୋଲିସ ଓ ମଧୁପାଟଣା ଥାନା ପୋଲିସ ମିଳିତ ଭାବେ ରାଜେନ୍ଦ୍ରନଗର ଅଞ୍ଚଳରେ ଏକ ଆବାସିକ ଅଞ୍ଚଳରେ ମିଳିତ ଭାବେ ଚଢ଼ଉ କରିଥିଲେ। ତିନି ମହଲା ବିଶିଷ୍ଟ ଭଡ଼ାଘରର ଦ୍ବିତୀୟ ମହଲାରେ ରାଜୁ ଭଡ଼ା ନେଇ ରହୁଥିବା ପୋଲିସକୁ ଦେଖାଇଥିଲା। ସେଠାରେ ପୋଲିସ ଟିମ୍ ରାଜୁ ସହିତ ଆସି ଚଢ଼ଉ କରିଥିଲା। ଘର ଭିତରେ ଥିବା ଏକ କାଠ ବାକ୍ସରେ ୬ଟି ଥାକ କରାଯାଇଥିଲା। ପୋଲିସ ତଦନ୍ତରେ ଜାଣିବାକୁ ପାଇଛି ଯେ ବାଂଲାଦେଶର ଅସଦୁର୍ ଜମାନ୍ ୨୦୨୩ ଅକ୍ଟୋବର୍ ୨୧ରେ ଭାରତରେ ପହଞ୍ଚିବା ପରେ ଉଭୟ ପ୍ରଥମେ ଭୁବନେଶ୍ବରର ଏକ ହୋଟେଲରେ ରହିଥିଲେ। ସେଠାରେ ରହି ଲକ୍ଷ୍ମୀସାଗର ଓ କଟକର ରାଜେନ୍ଦ୍ରନଗର ଅଞ୍ଚଳରେ ଘର ଭଡ଼ା ନେଇଥିଲେ। ଅସଦୁର୍ ମଧ୍ୟ ରାଜୁ ସହିତ ରାଜେନ୍ଦ୍ରନଗରକୁ ଆସିଥିଲା। ସେଠାରେ ୨୦୨୩ ଡିସେମ୍ବରରେ ଘର ଭଡ଼ା ନେଇଥିଲା। ରାଜୁ ନିଜ ନାଁରେ ଚୁକ୍ତି ବି କରିଥିଲା। ଏହି ଘରକୁ ସେ କପଡ଼ା ବ୍ୟବସାୟ ପାଇଁ ନେଇଥିଲା। ମାସିକ ସେ ଭଡ଼ା ବାବଦ ୮ ହଜାର ଟଙ୍କା ଦେଉଥିଲା। ଏହି ଘରଭଡ଼ା ଟଙ୍କା ମାଲିକଙ୍କୁ ଫୋନ୍-ପେ’ରେ ଦିଆଯାଉଥିଲା। ରାଜୁ ନିଜ ନାଁରେ ଅପ୍ଟିକାଲ୍ ଫାଇବର୍ ଇଣ୍ଟରନେଟ୍ ନେଇଥିଲା। ତେବେ ରାଜୁ ରାଜେନ୍ଦ୍ରନଗର ଭଡ଼ା ଘରେ ସବୁବେଳେ ରହୁ ନ ଥିଲା। ଯେତେବେଳେ ସିମ୍ ବକ୍ସରେ ଥିବା ସିମ୍ ଅଚଳ ହେଉଥିଲା କିମ୍ବା ସିମ୍ ବକ୍ସ ମରାମତି ଆବଶ୍ୟକ ହେଉଥିଲା, ସେହି ସମୟରେ ସେ କେବଳ କଟକ ଆସୁଥିଲା। ପଶ୍ଚିମବଙ୍ଗରୁ ଟ୍ରେନ୍ ଯୋଗେ କଟକ ଆସୁଥିଲା। କଟକ ଷ୍ଟେସନରେ ପହଞ୍ଚିବା ପରେ ସେଠୁ ସେ ଅଟୋ ଯୋଗେ ରାଜେନ୍ଦ୍ରନଗର ଆସୁଥିଲା। ରାଜେନ୍ଦ୍ରନଗରରେ ମରାମତି କରିସାରିବା ପରେ ବସ୍ କିମ୍ବା ଟ୍ରେନ୍ରେ ଭୁବନେଶ୍ବର ଯାଇ ସେଠାରେ ମରାମତି କରିବା ପରେ ପଶ୍ଚିମବଙ୍ଗ ଫେରିଯାଉଥିଲା। ରାଜୁ ଯେତେବେଳେ ରାଜେନ୍ଦ୍ରନଗର ଅଞ୍ଚଳରେ ଘର ଭଡ଼ା ଖୋଜିବାକୁ ଆସିଥିଲା ସେତେବେଳେ ଅଟୋରେ ଆସୁଥିଲା। ଟୁ-ଲେଟ୍ ବୋର୍ଡ ଦେଖି ସେହି ଘର ମାଲିକଙ୍କୁ ଯୋଗାଯୋଗ କରିବା ପରେ ଭଡ଼ା ନେଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।






More Stories
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା……