ରିପୋର୍ଟ କାର୍ଡ / କଟକ
ମୋବାଇଲ୍ର ନେଟ୍ଵାର୍କ ସମ୍ପର୍କିତ ଭୁଲ୍ ସୂଚନା ଦେବାପାଇଁ ସାଇବର୍ ଅପରାଧୀ ବ୍ୟବହାର କରୁଥିବା ସିମ୍ ବକ୍ସ ପୁଣି କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ବାରିପଦା ଖୁଣ୍ଟା ଥାନା ବନ୍ଧ ଗାଁ ଅଞ୍ଚଳରେ ଚାଲିଥିବା ଏକ ସିମ୍ ବକ୍ସ ଆଡ୍ଡାରେ କ୍ରାଇମବ୍ରାଞ୍ଚ ଚଢ଼ଉ କରି ୬ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ମାଷ୍ଟରମାଇଣ୍ଡ ବିଶାଲ ଖଣ୍ଡେଲଵାଲ୍ ସମେତ, ତାପସ କୁମାର ପାତ୍ର, ନିଗମ ପାତ୍ର, ସୁଧାଂଶୁ ଦାସ, ଅଜୁ ଦାସ, ଅଜୟ କୁମାର ପାତ୍ର। ପୁଲିସ ଏମାନଙ୍କ ନିକଟରୁ ସିମ୍ ବକ୍ସ ସମେତ ବିପୁଳ ପରିମାଣର ଆଗୁଆ ଆକ୍ଟିଭ୍ ହୋଇଥିବା ସିମ୍ କାର୍ଡ ଜବତ କରିଛି। ସୂଚନା ଅନୁଯାୟୀ, ଓଡ଼ିଶାରେ ସାଇବର୍ ଅପରାଧୀମାନେ ସିମ୍ ବକ୍ସ ବ୍ୟବହାର କରୁଥିବା ସମ୍ପର୍କରେ ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରାଳୟ ପକ୍ଷରୁ ଗଲା ୧୨ ତାରିଖରେ ଓଡ଼ିଶାର କ୍ରାଇମବ୍ରାଞ୍ଚକୁ ଅବଗତ କରିଥିଲା। କ୍ରାଇମବ୍ରାଞ୍ଚ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ବନ୍ଧ ଗାଁରେ ସିମ୍ ବକ୍ସ ବ୍ୟବହାର ହେଉଥିବା ସମ୍ପର୍କରେ ସୂଚନା ପାଇ କ୍ରାଇମବ୍ରାଞ୍ଚ ଚଢ଼ଉ କରିଥିଲା। ବିଶାଲ ଏହି କାରବାର ପଛର ମାଷ୍ଟରମାଇଣ୍ଡ ବୋଲି କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି। ବିଶାଲ ସିମ୍ ବକ୍ସ କିଣି ତାପସକୁ ଏଥିରେ ନିୟୋଜିତ କରିଥିଲା। ତାପସ ଆଗୁଆ ଆକ୍ଟିଭ୍ ହୋଇଥିବା ସିମ୍ କାର୍ଡ ବ୍ୟବହାର କରି ଏଥିରୁ ବ୍ୟାଙ୍କ୍ ଗ୍ରାହକଙ୍କୁ ମ୍ୟାସେଜ୍ ପଠାଉଥିଲା। ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କୁ ଟଙ୍କା ଠକୁଥିଲା। ଦୈନିକ ୧୦୦ରୁ ଉର୍ଦ୍ଧ୍ବ ମ୍ୟାସେଜ୍ ଏହି ସିମ୍ ବକ୍ସରୁ ତାପସ ପଠାଉଥିଲା। ବିଶାଲକୁ ସୁଧାଂଶୁ ଓ ନିଗମ ସିମ୍ କାର୍ଡ ଯୋଗାଉଥିଲେ। କିଛି ମାସ ପରେ ତାପସ ଏହି ଗ୍ୟାଙ୍ଗରେ ଅଜୁ ଓ ଅଜୟକୁ ବି ନିୟୋଜିତ କରିଥିଲା। ଏହି ୬ ଜଣ ବନ୍ଧ ଗାଁରେ ଏଭଳି ବେଆଇନ କାରବାର ଆରମ୍ଭ କରିଥିଲେ। ସିମ୍ ବକ୍ସ ମାଧ୍ୟମରେ ମୋବାଇଲ୍ ନେଟଵାର୍କକୁ ଅନ୍ଧାରରେ ରଖାଯାଇ ପାରିବ। ଫଳରେ ପୁଲିସ ଅପରାଧୀଙ୍କ ଠିକଣା ସମ୍ପର୍କିତ ସୂଚନା ପାଇପାରିବ ନାହିଁ। ଏଥିପାଇଁ ସିମ୍ ବକ୍ସକୁ ଅପରାଧୀମାନେ ମୁଖ୍ୟତଃ ବ୍ୟବହାର କରିଥାନ୍ତି। କ୍ରାଇମବ୍ରାଞ୍ଚ ପ୍ରଥମେ ତାପସ କୁମାର ପାତ୍ରକୁ ଉଠାଇବା ପରେ ଅନ୍ୟ ଅଭିଯୁକ୍ତମାନେ ଧରା ପଡ଼ିଥିଲେ। ୨୦୧୭ ଜୁଲାଇ ୮ ତାରିଖ ଗଞ୍ଜାମରୁ କ୍ରାଇମବ୍ରାଞ୍ଚ ସିମ୍ ବକ୍ସ କାରବାର ମାମଲାରେ ୪ ଜଣଙ୍କୁ ଗିରଫ କରିଥିଲା।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..