ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୪୮୦୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୧୯ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋରେ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଅତିରିକ୍ତ ୧୭୫୫୩ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି । ଆଜି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ମୋଟ ୪୮୦୪.୩୫କୋଟି ଟଙ୍କାର ୧୯ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ପୋଷାକ ଓ ବୟନଶିଳ୍ପ, ଇସ୍ପାତ ଡାଉନଷ୍ଟ୍ରିମ, ପେଣ୍ଟ(ରସାୟନିକ), ପ୍ଲାଷ୍ଟିକ, ପ୍ୟାକେଜିଂ-ମେଟାଲ, ଡାଉନଷ୍ଟ୍ରିମ, ଅକ୍ଷୟ ଶକ୍ତି, ସର୍କୁଲାର ଅର୍ଥନୀତି, ଭିତ୍ତିଭୂମି, ଆଇଟି, କୃଷି ପ୍ରକ୍ରିୟାକରଣ, ଖାଦ୍ୟ-ପାନୀୟ ଓ ଆନୁସଙ୍ଗିକ କ୍ଷେତ୍ର ଭଳି ପ୍ରମୁଖ କ୍ଷେତ୍ରରେ ଏହି ପୁଞ୍ଜିନିବେଶ ହେବ । ରାଜ୍ୟରେ ୧୦ଟି ଜିଲ୍ଲାରେ ଏସବୁ ପ୍ରକଳ୍ପ ନିର୍ମାଣ ହେବ ବୋଲି ଜଣାପଡ଼ିଛି । ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ କେନ୍ଦ୍ରାପଡ଼ାଠାରେ ୱେଲସ୍ପିନ୍ ଲିଭିଂ ଲିମିଟେଡ୍ ୨୦୦କୋଟି ଟଙ୍କା ବ୍ୟୟରେ ପୋଷାକ ଓ ବୟନଶିଳ୍ପ କାରଖାନା ସ୍ଥାପନ କରିବ। ଏହାଦ୍ୱାରା ୨ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଟାଟା ଷ୍ଟିଲ ଡାଉନଷ୍ଟ୍ରିମ ପ୍ରଡକ୍ଟସ ଲିମିଟେଡ୍ ଦ୍ୱାରା ଯାଜପୁରର କଳିଙ୍ଗନଗରରେ ୧୦ଲକ୍ଷ ମେଟ୍ରିକ ଟନ୍ ଇସ୍ପାତ ସେବା କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏଥିରେ ୭୩୫କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ୩୩୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଇଣ୍ଡିଆନ ମେଟାଲ ଆଣ୍ଡ ଫେରେକ୍ରୋମ ଆଲଏଜ୍ ଲିମିଟେଡ୍ (ଇମ୍ଫା) ୯୭୭.୪୩ କୋଟି ଟଙ୍କା ବ୍ୟୟରେ ଯାଜପୁରରେ ୨ ଲକ୍ଷ ୨୦ହଜାର ମେଟ୍ରିକ ଟନ୍ ଫେରୋକ୍ରୋମ ଓ ୨୦ ମେଗାୱାଟ୍ ବିଶିଷ୍ଟ ପାୱାର ପ୍ଲାଣ୍ଟ ନିର୍ମାଣ କରିବ। ଏହାଦ୍ୱାରା ୧୧୯୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି । ସେହିପରି ଜିନ୍ଦଲ ଷ୍ଟିଲ ୧୫୦କୋଟି ଟଙ୍କା ବ୍ୟୟରେ କଳିଙ୍ଗନଗରଠାରେ ଷ୍ଟିଲ ସର୍ଭିସ ସେଂଟର ୟୁନିଟ୍ ନିର୍ମାଣ କରିବ। ଏଥିରେ ୩୧୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।






More Stories
IAS ସ୍ତରରେ ବଡ଼ ଧରଣର ଅଦଳବଦଳ…..
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..