Report Card Odisha

| Daily Odia News

ଶ୍ରୀଧର ସାହୁ ଙ୍କୁ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

କାଳର କରାଳ କବଳରେ ଉତ୍କଟ କୋଭିଡ୍‌-୧୯ ମହାମାରୀରେ କବଳିତ ହୋଇ ଅସମୟରେ ଇହଧାମ ତ୍ୟାଗ କରିଥିବା ପୂର୍ବତନ ସରକାରୀ ଅଧିକାରୀ, ନୀଳାଦ୍ରିବିହାର ଆବାସିକ ସଂଘର ପୂର୍ବତନ ସଭାପତି, ସମାଜସେବୀ, ଯୋଗ ଗୁରୁ ତଥା ଜୟଗୁରୁ ଭକ୍ତ ସ୍ୱର୍ଗତଃ ଶ୍ରୀଧର ସାହୁଙ୍କୁ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ନୀଳାଦ୍ରି ବିହାର ଦୁର୍ଗାପୂଜା ମଣ୍ଡପ ଠାରେ ବରିଷ୍ଠ ଆଇନଜିବୀ ତଥା ଆବାସିକ ସଂଘର ଉପଦେଷ୍ଟା ମନମୋହନ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ପ୍ରବଚକ ବିଶ୍ୱନାଥ ଶତପଥୀ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡି.ଏନ୍‌.ଜେନା, ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସମାଜସେବୀ ମନୋଜ କୁମାର ସାହୁ , ଆବାସିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର କୁମାର ପାତ୍ର, ସଭ୍ୟ ମିହିର କୁମାର ମିଶ୍ର ଓ ବିରକିଶୋର ମିଶ୍ର ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ସ୍ୱର୍ଗତ ଆତ୍ମାର ଐଶ୍ୱରିକ ଶାନ୍ତି ପ୍ରାର୍ଥନା କରିଥିଲେ । ପ୍ରକାଶ ଥାଉକି ସ୍ୱର୍ଗତ ସାହୁ ୧୯୭୮ ମସିହାରେ ସରକାରୀ କର୍ମଚାରୀ ଭାବରେ ଯୋଗଦେଇ ୨୦୧୧ ମସିହାରେ ସାଧାରଣ ପ୍ରଶାସନ ବିଭାଗର ଡେପୁଟି ସେକ୍ରେଟାରୀ ପଦବୀରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ସ୍ୱର୍ଗତ ସାହୁ ନିଜକୁ ସମାଜସେବା, ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ସହିତ ଜଡିତ ରହି ଜୟଗୁରୁ କେନ୍ଦ୍ରର ପ୍ରଚାର ପ୍ରସାର ତଥା ଜଣେ ଯୋଗଗୁରୁ ଭାବରେ ବେଶ୍ ସୁନାମ ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ସମାଜରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେବା ସହ ଏହା ଏକ ଅପୂରଣୀୟ କ୍ଷତି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତି କରିବା ସହ ଏକ ସ୍ମୃତି କମିଟି ଗଠନ ଓ ଏକ ସ୍ମରଣିକା ପ୍ରକାଶ କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଅରୁଣ କୁମାର ଦେ, ମନୋଜ ବିଶ୍ୱାଳ, ରବି ପଣ୍ଡା, ବିପିନ୍ ବିହାରୀ ସାମଲ୍‌, ଜ୍ୟୋତି ରଞ୍ଜନ ଦାସ, ବିଶ୍ୱନାଥ ମହାନ୍ତି ତଥା ପରିବାର ଓ ଆତ୍ମୀୟ ସ୍ୱଜନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଆଧ୍ୟାତ୍ମିକ ସଂଗୀତ ପରିବେଷଣ ଓ ପ୍ରସାଦ ସେବନ ସହ ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା । ଶେଷରେ ସାହୁ ପରିବାର ତରଫରୁ ସମସ୍ତଙ୍କ ସଦୟ ଉପସ୍ଥିତ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

Breaking News