ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟରଞ୍ଜ ପଟନାୟକ ନିଜର ସମ୍ପାଦକୀୟ ପୃଷ୍ଠା ଆମଘର ହାଲଚାଲ ମାଧ୍ୟମରେ ୫ଟି ସଚିବଙ୍କୁ ଟାର୍ଗେଟ କରିଛନ୍ତି | କହିଛନ୍ତି | ବିଡ଼ମ୍ବନାର କଥା, ଆମେ ସମସ୍ତେ ଏହି ବିଲକ୍ଷଣଗୁଡ଼ିକ ସମ୍ପର୍କରେ ଜାଣୁଥିଲେ ମଧ୍ୟ ପ୍ରତିବାଦ କରିବା ପାଇଁ ସାହସ କୁଳାଇ ପାରୁନାହୁଁ। ପ୍ରତିଦିନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ପ୍ରେସ୍ବାର୍ତ୍ତା ମାଧ୍ୟମରେ ୫-ଟି ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଉଛି। ଆଜି କେଉଁଠି ସଭା ହେଲା, ସେଠି ୫-ଟି ସଚିବ କ’ଣ କହିଲେ ଏବଂ ପରେ ସେ ଆଉ କେଉଁ ବିକାଶ କାର୍ଯ୍ୟ ତଦାରଖ କଲେ ସେ ସବୁର ଟିକିନିଖି ବିବରଣୀ ଦିଆଯାଉଛି। ଏ ପର୍ଯ୍ୟନ୍ତ ୫-ଟି ସଚିବ ୨୮ଟି ଜିଲ୍ଲା ଗସ୍ତ କରି ସାରିଲେଣି। ଆଉ ଗୋଟିଏ ସପ୍ତାହରେ ଓଡ଼ିଶାର ବାକି ଦୁଇ ଜିଲ୍ଲାର ଗସ୍ତ କାର୍ଯ୍ୟକ୍ରମ ସରିଲେ ୫-ଟି ସଚିବଙ୍କର ଓଡ଼ିଶା ଭ୍ରମଣ ସମ୍ପୂର୍ଣ୍ଣ ହେବ। ଟିକେ ତଳେଇ ଦେଖିଲେ, ୫-ଟି ସଚିବଙ୍କର ଏହି ଯାତ୍ରାରେ କ’ଣ ହେଉଛି, କାହା ପାଇଁ ହେଉଛି ଏବଂ ଏଥିରେ ସାଧାରଣ ଜନତାଙ୍କର କ’ଣ ଲାଭ ହେଉଛି ବୋଲି ଶ୍ରୀ ପଟନାୟକ କହିଛନ୍ତି | ପ୍ରଥମ କେତୋଟି ଜିଲ୍ଲା ଗସ୍ତ ସମୟରେ କେବଳ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଉପସ୍ଥିତ ରହୁଥିବା ବେଳେ ଏବେଏବେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଉଛି। ୫-ଟି ସଚିବ ହେଲିକପ୍ଟରରେ ଓହ୍ଲାଇ ସଭାସ୍ଥଳକୁ ଯାଉଛନ୍ତି। ହଜାର ହଜାର ମହିଳା ଓ ଛାତ୍ରଛାତ୍ରୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଉଛନ୍ତି। ସଚିବ ସମବେତ ଜନତାଙ୍କ ନିମନ୍ତେ ଏକ ସ୍ବଳ୍ପ ବକ୍ତବ୍ୟ ରଖୁଛନ୍ତି। ପରେ ଜନତାଙ୍କଠାରୁ ଅଭିଯୋଗ ପତ୍ର ସଂଗ୍ରହ କରି ଖୁବ୍ଶୀଘ୍ର ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ୩୦ଟି ଜିଲ୍ଲାରେ ୫-ଟି ସଚିବଙ୍କର ଯାତ୍ରା ଶେଷ ବେଳକୁ କେତେ ଖର୍ଚ୍ଚ ହୋଇଥିବ ତାହାର ଗୋଟିଏ ଆକଳନ ଗତ ସପ୍ତାହରେ ଉପସ୍ଥାପିତ କରିଥିଲୁ। ଆଜି ସାରା ଦେଶ ଚନ୍ଦ୍ରାବତରଣର ସଫଳତାରେ ଉଲ୍ଲସିତ ହୋଇ ଉତ୍ସବମୁଖର ହୋଇ ପଡ଼ିଥିବା ବେଳେ ୫-ଟି ସଚିବଙ୍କ ଓଡ଼ିଶା ଭ୍ରମଣ ବୃତ୍ତାନ୍ତ ଓ ତା’ର ଖର୍ଚ୍ଚ ଆମକୁ ଅଧିକ ଆନ୍ଦୋଳିତ କରୁଛି। ଇସ୍ରୋ ସଂସ୍ଥା ସମୁଦାୟ ଚନ୍ଦ୍ରାବତରଣ ଅଭିଯାନରେ ମାତ୍ର ୬ ଶହ କୋଟି ଖର୍ଚ୍ଚ କରିଥିବା ବେଳେ ଆମ ୫-ଟି ସଚିବ ୩୦ଟି ଜିଲ୍ଲାର ଓଡ଼ିଶା ଭ୍ରମଣରେ ପାଖାପାଖି ସେତିକି ଖର୍ଚ୍ଚ କରିଥିବେ ବୋଲି ଅଭିଯୋଗ କରାଯାଉଛି। ସାରା ଦେଶ ଚନ୍ଦ୍ରାବତରଣକୁ ଗ୍ରହଣ କରିଥିବା ବେଳେ ଆମେ ଓଡ଼ିଶାରେ ପାଣ୍ଡିଆନ ସାହେବଙ୍କ ଓଡ଼ିଶା ଭ୍ରମଣକୁ ଅଧିକ ଗୁରୁତ୍ବ ଦେଇ ଗ୍ରହଣ କରିନେଇଥିବା ପରି ମନେହେଉଛି। ଏହି ସଭାମାନଙ୍କରେ ପାଣ୍ଡିଆନ ସାହେବ ଯେଉଁ ବକ୍ତବ୍ୟ ରଖୁଛନ୍ତି, ତାହା ମଧ୍ୟ ଗୋଟିଏ ଗୋଟିଏ ବିଲକ୍ଷଣର ସୂଚନା ଦେଉଛି। ଗୋଟିଏ ସଭାରେ ସେ କହୁକହୁ କହିଦେଲେ, ‘ଆସନ୍ତୁ ଆମେ ନବୀନବାବୁଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା।’ ନବୀନବାବୁ ଯେ ଓଡ଼ିଶାବାସୀଙ୍କର ଆଶୀର୍ବାଦରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଏଥିରେ କାହାରି ସନ୍ଦେହ ନାହିଁ। କିନ୍ତୁ ପାଣ୍ଡିଆନ୍ ସାହେବ ଭୁଲିଗଲେ ଯେ ସେ ଏକ ସରକାରୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଯୋଗ ଦେଉଛନ୍ତି। ହଜାର ହଜାର ମହିଳା ଓ ଛାତ୍ରଛାତ୍ରୀଙ୍କୁ ଦେଖି ସେ ବୋଧେ ଆତ୍ମବିଭୋର ହୋଇପଡ଼ି ଉଚିତ ଅନୁଚିତର ପ୍ରଭେଦ ଭୁଲିଗଲେ। ତାଙ୍କୁ କେବଳ ଆମ ଇତିହାସର ଏକ ଘଟଣାକୁ ମନେପକେଇ ଦେଲେ ସେ ଆମେ ଉଲ୍ଲେଖ କରୁଥିବା ବିଲକ୍ଷଣ କଥା ବୁଝିପାରିବେ। ୧୯୭୧ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କର ସଚିବ ୟଶପାଲ୍ କାପୁର ପ୍ରଚାର କାର୍ଯ୍ୟରେ ସହାୟତା କରି ତାଙ୍କ ସପକ୍ଷରେ ନିର୍ବାଚନୀ ଭାଷଣ ଦେଇଥିବାରୁ ଆହ୍ଲାବାଦ ହାଇକୋର୍ଟ ଶ୍ରୀମତୀ ଗାନ୍ଧିଙ୍କର ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ଏବଂ ପରେ ଶ୍ରୀମତୀ ଗାନ୍ଧି ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତିର ଘୋଷଣା କରି ଆମ ଗାଣତାନ୍ତ୍ରିକ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଥିଲେ। ପାଣ୍ଡିଆନ୍ ସାହେବଙ୍କର ଉପରୋକ୍ତ ଆଚରଣ ୟଶପାଲ କାପୁରଙ୍କଠାରୁ କୌଣସି ଗୁଣରେ ଭିନ୍ନ ନୁହେଁ।ଛାଇକୁ ଦେଖି ଡରିଲା ଭଳି ସେ ଅନ୍ୟ କାହାର ଉପସ୍ଥିତିକୁ ଆଦୌ ବରଦାସ୍ତ କରିପାରୁ ନାହାନ୍ତି। ଏସବୁ ସଭାଗୁଡ଼ିକ କେବଳ ୫-ଟି ସଚିବଙ୍କ ଭାବମୂର୍ତ୍ତି ନିର୍ମାଣ କରିବା ପାଇଁ ଉର୍ଦ୍ଦିଷ୍ଟ ଥିଲା ପରି ମନେହେଉଛି। ଗତକାଲି ଗଞ୍ଜାମରେ ଯେଉଁ ଘଟଣାଟି ଘଟିଲା ତାହା ଆମ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଯାହା ଘଟିଲା, ତାହା ଆଦୌ ଆଖିକୁ ସୁନ୍ଦର ଦେଖାଯାଉନାହିଁ। ଇଂରାଜୀରେ ଏହାକୁ ‘ବ୍ୟାଡ୍ ଅପ୍ଟିକ୍ସ’ କୁହାଯାଏ। ପୁଣି ସେ ଯେଉଁ ଅଭିଯୋଗଟି ଆଣିଛନ୍ତି, ତାହା ଆମ ବିଚାରରେ ଅତ୍ୟନ୍ତ ଗମ୍ଭୀର। ସେ ମୁଖ୍ୟମନ୍ତ୍ରୀଙ୍କର ଅତି ପାଖଲୋକ ଥିବାବେଳେ ଗୋଟିଏ ଘଟଣାର ଉଦାହରଣ ଦେଇ ୫-ଟି ସଚିବ ମିଛ କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଅଦାଲତର ନିର୍ଦ୍ଦେଶ ଫଳରେ ସ୍ବର୍ଗଦ୍ବାରରେ ଥିବା ବିଜୁ ପଟ୍ଟନାୟକଙ୍କର ସମାଧିକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ୫-ଟି ସଚିବ କାଳେ ସର୍ବସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କର ଭାବମୂର୍ତ୍ତିକୁ ଉଜ୍ଜ୍ବଳ କରିବା ପାଇଁ ଏ ସମ୍ପର୍କରେ ମିଛ କଥା କହିଛନ୍ତି। ଏଠି କିଏ ସତ, କିଏ ମିଛ କହୁଛନ୍ତି ଆମେ ଜାଣୁନା। କିନ୍ତୁ ପ୍ରଦୀପ ପାଣିଗ୍ରାହୀ ଯେ ମିଛ କହୁଛନ୍ତି ୫-ଟି ସଚିବ ଏ କଥାକୁ ପ୍ରମାଣ କରନ୍ତୁ, ନହେଲେ ତାଙ୍କ ଭାବମୂର୍ତ୍ତି ନିର୍ମାଣ କରିବା ପାଇଁ ଖର୍ଚ୍ଚ ହୋଇଥିବା କୋଟିକୋଟି ଟଙ୍କା ପାଣିରେ ପଡ଼ିବ ବୋଲି ସୌମ୍ୟ ପଟ୍ଟନାୟକ |






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..