Report Card Odisha

| Daily Odia News

ସୋନିଆ ଗାନ୍ଧି, ଅଶ୍ୱିନୀ ବୈଷ୍ଣବଙ୍କ ସମେତ ୧୪ ରାଜ୍ୟସଭା ସଦସ୍ୟ ଶପଥ ନେଲେ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ୧୪ ଜଣ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ନୂଆ ସଂସଦ ଭବନରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ସଭାପତି ଜଗଦୀପ ଧନଖଡ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସୋନିଆ ଗାନ୍ଧି ରାଜସ୍ଥାନରୁ ଉଚ୍ଚ ସଦନ ନିମନ୍ତେ ଶପଥ ପାଠ କରିଥିବା ବେଳେ ଓଡିଶାରୁ ଅଶ୍ୱିନୀ ବୈଷ୍ଣବ ଶପଥ ଗ୍ରହଣ କରିଛନ୍ତି। ଏହା ଛଡା କର୍ଣ୍ଣାଟକରୁ କଂଗ୍ରେସ ନେତା ଅଜୟ ମାକନ, ଉତ୍ତରପ୍ରଦେଶରୁ ବିଜେପି ନେତା ଆର.ପି.ଏନ. ସିଂହ ଓ ପଶ୍ଚିମବଙ୍ଗରୁ ବିଜେପି ସଦସ୍ୟ ସମିକ ଭଟ୍ଟାଚାର୍ଯ୍ୟ ସେହି ୧୪ ଜଣଙ୍କ ମଧ୍ୟରେ ସାମିଲ ଯେଉଁମାନେ ରାଜ୍ୟସଭାର ଶପଥ ଗ୍ରହଣ କରିଛନ୍ତି। ଏହା ଛଡା ୱାଇଏସଆରସିପି ନେତା ଗୋଲାବାବୁ ରାଓ, ମେଘା ରଘୁନାଥ ରେଡ୍ଡୀ ଓ ୟେରୁମ ଭେଙ୍କଟ ସୁବ୍ବା ରେଡ୍ଡୀ ମଧ୍ୟ ଆନ୍ଧ୍ରପ୍ରଦେଶ ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ସଦସ୍ୟ ରୂପେ ଶପଥ ପାଠ କରିଛନ୍ତି। ଶପଥ ଗ୍ରହଣ ଉତ୍ସବ ପରେ ସମସ୍ତ ନୂଆ ରାଜ୍ୟସଭା ସଦସ୍ୟ ଅଧ୍ୟକ୍ଷଙ୍କ ସହିତ ଏକ ସାମୂହିକ ଫଟୋ ଉତ୍ତୋଳନ କରିଛନ୍ତି। ସୋନିଆ ଗାନ୍ଧି ପ୍ରଥମ ଥର ରାଜ୍ୟସଭା ସାଂସଦ ହୋଇଛନ୍ତି। ସେ ଗୃହର ନେତା ପିୟୁଷ ଗୋୟଲ ଓ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶରୁ ସୁଭାଶିଷ ଖୁଣ୍ଟିଆ ଏବଂ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ଭାବେ ଓଡ଼ିଆ ଭାଷାରେ ଶପଥ ନେଇଛନ୍ତି |

Breaking News