Report Card Odisha

| Daily Odia News

ଡି.ଏ.ଭି କଳିଙ୍ଗ ନଗରରେ ସ୍ୱର ସାମ୍ରାଜ୍ଞୀ ସ୍ୱର୍ଗତ ଲତା ମଙ୍ଗେସକରଙ୍କୁ ଏକାଦଶାହ ଶ୍ରଦ୍ଧାଞ୍ଜଳି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭାରତ ରତ୍ନ, ବାଣୀକନ୍ୟା, ଭାରତୀୟ ସଂଗୀତ ଜଗତର ବୁଲବୁଲ, ଅପ୍ରତିଦ୍ୱନ୍ଦୀ ଗାୟିକା ସ୍ୱର ସାମ୍ରାଜ୍ଞୀ ସ୍ୱର୍ଗତ ଲତା ମଙ୍ଗେସକରଙ୍କୁ ତାଙ୍କ ଏକାଦଶାହ ଅବସରରେ ଡି.ଏ.ଭି ପବ୍ଲିକ ସ୍କୁଲ କଳିଙ୍ଗ ନଗର ତରଫରୁ ଭାବବୁିହ୍ୱଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ମୃତିସଭାରେ ବିଦ୍ୟାଳୟର ଅଧ୍ୟକ୍ଷ, ପର୍ଯ୍ୟବେକ୍ଷକ ପର୍ଯ୍ୟବେକ୍ଷିକା, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀବୃନ୍ଦ ଲତାଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଉତ୍ସବରେ ଅଧ୍ୟକ୍ଷତା କରି ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ କୁମାର ସାହୁ ଭାରତର ସଂଗୀତ କ୍ଷେତ୍ରରେ ଥିବା ଲତାଙ୍କ ମହାନ ଅବଦାନକୁ ଆଲୋକପାତ କରିବା ସହ ଲତାଜୀ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଚିରଦିନ ଉଜ୍ଜୀବିତ ରହିବେ ବୋଲି ମତବ୍ୟକ୍ତ କରିଥିଲେ ।

କୋକିଳ କଣ୍ଠୀ ଲତାଦିଦିଙ୍କ ସ୍ମୃତିଚାରଣ ଉପଲକ୍ଷେ ତାଙ୍କ ଜୀବନୀ ଉପରେ ଆଧାରିତ ଏକକ୍ଷୁଦ୍ର ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା । ଲତାଙ୍କ ଅବର୍ତ୍ତମାନରେ ଅଜସ୍ର ସଂଗୀତପ୍ରେମୀଙ୍କ ହୃଦୟରେ ଗୁଞ୍ଜରିତ ହେଉଥିବା ତାଙ୍କର ସୁମଧରୁ ଗୀତାବଳୀ ଯଥା ‘ଏ ମେରେ ୱତନ କେ ଲୋଗୋଁ’, ‘ଏକ ରାଧା ଏକ ମୀରା’, ‘ଦିଲ୍ ହୁଁ ହୁଁ କରେଁ’, ‘ସତ୍ୟମ ଶିବମ ସୁନ୍ଦରମ’ ଇତ୍ୟାଦି ତଥା ତାଙ୍କ କଣ୍ଠରେ ଓଡ଼ିଆ ଗୀତ ‘ଆଜି ମୁଁ ଶ୍ରାବଣୀ’, ‘ଚୁନାଚୁନା ତାରାଫୁଲେ’ ଗୁଡ଼ିକ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଂଗୀତ ମାଧ୍ୟମରେ ପରିବେଷଣ କରାଯାଇଥିଲା।

ଏତଦ୍ ବ୍ୟତୀତ ବାଣୀ ସରସ୍ୱତୀ ଲତାଙ୍କ ଗୀତଗୁଡ଼ିକୁ ବିଭିନ୍ନ ବାଦ୍ୟଯନ୍ତ୍ର ମାଧ୍ୟମରେ ମଧ୍ୟ ପରିବେଷଣ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟ ଛାତ୍ର ସଂସଦର ସାଂସ୍କୃତିକ ସଂପାଦକ ସୁଲଗ୍ନା ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଗୋଚରାର୍ଥେ କାର୍ଯ୍ୟକ୍ରମଟିକୁ ୟୁଟ୍ୟୁବ ମାଧ୍ୟମରେ ପ୍ରସାରଣ କରାଯାଇଥିଲା ।

Breaking News